ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲାର ସବିତା ଗିରି ଓ ପୂର୍ଣ୍ଣିମା ଗିରି ୨୦୨୦ ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ସାହସୀକତା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
କେନ୍ଦ୍ରାପଡାର ନିପାଣିଆ ଘାଟରେ ଏକ ଡଙ୍ଗା ବୁଡି ଘଟଣାରେ ଏହି ଦୁଇ ଜଣ ଛାତ୍ରୀ ଅନେକ ଲୋକଙ୍କ ଜୀବନ ବଞ୍ଚାଇଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ଏହି ଦୁଇ ଭଉଣୀଙ୍କୁ ଲୋକସେବା ଭବନରେ ସମ୍ମାନିତ ମଧ୍ୟ କରିଥିଲେ। ଆଜି ସେମାନେ ସାହସୀକତା ପୁରସ୍କାର ପାଉଥିବାରୁ ଖୁସିବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ସେମାନେ ପଢୁଥିବା ହାଇସ୍କୁଲରେ ଏକ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କହିଛନ୍ତି। ଏଥିପାଇଁ ସେ ଏକ କୋଟି ୨୦ ଲକ୍ଷ ଟଙ୍କା ମଧ୍ୟ ଅନୁମୋଦନ କରିଛନ୍ତି। ସାଧାରଣ ସମୟରେ ଏହା ଏକ ସ୍କୁଲ ଭାବରେ କାର୍ଯ୍ୟ କରିବା ସହିତ ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଏକ ଆଶ୍ରୟସ୍ଥଳ ଭାବରେ କାର୍ଯ୍ୟ କରିବ। ଏହାଦ୍ବାରା ସେ ଅଞ୍ଚଳରେ ଜନସାଧାରଣ ଆଶ୍ବସ୍ତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।
ଏହି କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ଣ୍ଣିମା ଓ ସବିତା ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି।