ବରଗଡରେ ହେବ କ୍ୟାନସର ହସ୍ପିଟାଲ: ମୁଖ୍ୟମନ୍ତ୍ରୀ

ବରଗଡ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗସ୍ତରେ ବରଗଡ ଯାଇ ୭୦କୋଟି ଟଙ୍କାର ୭ଗୋଟି ପ୍ରକଳ୍ପ ଉଦଘାଟନ କରିଥିଲେ ଏବଂ ୬୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୨୨ଟି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି ।

ବରଗଡ ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ଉଦଘାଟନ କରିଥିଲେ । ୬ ମହଲା ବିଶିଷ୍ଟ ଏହି ନୂତନ କୋଠା ୩୦୦ ଶର୍ଯ୍ୟା ବିଶିଷ୍ଟ ଏବଂ ଏଥିପାଇଁ ୪୫କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବରଗଡରେ ଏକ କର୍କଟ ରୋଗ ଚିକିତ୍ସାଳୟ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କ ମଧ୍ୟରେ ବରଗଡରେ ଏକ ହାଇଲେଭଲ ସେତୁ, ଆଇସିଆଇସିଆଇ ବ୍ୟାଙ୍କ ର ୧୫୦ତମ ଶାଖା ବିଜେପୁରରେ ଏବଂ ବରଗଡରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ବିଧାୟକ ଗଣ ଉପସ୍ଥିତ ଥିଲେ ।