ଆଦାନୀ-କିସ୍ ଆବାସିକ ବିଦ୍ୟାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ; ବାରିପଦା ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ଘୋଷଣା କଲେ ୫କୋଟି ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତ

ମୟୁରଭଞ୍ଜ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ବାଙ୍କୀଶୋଳଠାରେ ଆଦାନୀ ଶିଳ୍ପ ସଂସ୍ଥାର ସହଯୋଗରେ ପ୍ରତିଷ୍ଠିତ କିସ୍ ଆବାସିକ ବିଦ୍ୟାଳୟର ଉଦଘାଟନ କରିଥିଲେ । ଏହାସହିତ ମୟୁରଭଞ୍ଜ ଜିଲ୍ଲା ପାଇଁ ୨୦୦କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବା ସହିତ ୫୦କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ କରିଥିଲେ । ଏହିସବୁ ପ୍ରକଳ୍ପ ଗୁଡିକରେ ପାନୀୟ ଜଳ ପ୍ରକଳ୍ପ, ସଡ଼କ ଓ ସେତୁ ନିର୍ମାଣ ଓ ଆହୁରି ଅନେକ ପ୍ରକଳ୍ପ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାରିପଦା ଶ୍ରୀଜଗନ୍ନାଥ ମନ୍ଦିରର ବିକାଶ ପାଇଁ ୫କୋଟି ଟଙ୍କା ଘୋଷଣା କରିଥିଲେ । ଏହାସିତ ଖିଚିଂ, ଦେବକୁଣ୍ଡ ଓ ଜିଲ୍ଲାର ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥାନର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି କହିଥିଲେ ।

ଉପସ୍ଥିତ ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିକ୍ଷା ହିଁ ସଶକ୍ତିକରଣ ଓ ଶିକ୍ଷା ଜରିଆରେ ପ୍ରକୃତ ପରିବର୍ତନ ଆସିପାରିବ । ଆବାସିକ ବିଦ୍ୟାଳୟ ପାଇଁ କିସ୍ ମ୍ୟାନେଜମେଂଟ ଓ ଆଦାନୀ ଗ୍ରୁପ୍ କୁ ଧନ୍ୟବାଦ ଦେଇଥିଲେ ।ଓଡ଼ିଶାରେ ଜନଜାତି ପିଲାଙ୍କ ଶିକ୍ଷା ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ୬୫୦୦ସ୍କୁଲରେ ୬ଲକ୍ଷରୁ ଅଧିକ ଜନଜାତି ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଏାସହିତ ଅର୍ବାନ ଏରିଆରେ ମଧ୍ୟ ହଷ୍ଟେଲ ନିର୍ମାଣ କରାଯାଇ ପିଲାମାନଙ୍କୁ ଇଂରାଜୀ ମିଡିୟମ ସ୍କୁଲରେ ଶିକ୍ଷା ଦିଆଯାଉଛି । ରାଜ୍ୟ ସରକାରଙ୍କ ଜନଜାତି ଶିକ୍ଷା ଯୋଜନା ଯୋଗୁ ଆଜି ଆମର ଜନଜାତି ପିଲାମାନେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରି ରାଜ୍ୟ ଓ ଦେଶ ପାଇଁ ସୁନାମ ଆଣୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ମୟୁରଭଞ୍ଜରେ ବିକାଶର ଧାରା ଜାରି ରହିବ ଏବଂ ଓଡ଼ିଶାର ବିକାଶ ମାନଚିତ୍ରରେ ମୟୁରଭଞ୍ଜର ସ୍ଥାନ ଆହୁରି ଉଜ୍ଜ୍ୱଳ ହେବ ।