ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ‘ଜନ ସଚେତନତା ଅଭିଯାନ’

ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ, ରାଜ୍ୟସ୍ତରୀୟ ସମସ୍ତ କର୍ମକର୍ତ୍ତା, ସମସ୍ତ ସଂଗଠନ ମୁଖ୍ୟ, ନଗର ଏବଂ ବ୍ଲକ ସଭାପତି, ଜିଲ୍ଲା ପରିଷଦର ସଭାପତି ଓ ଉପ ସଭାପତିଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ, ରାଜ୍ୟସ୍ତରୀୟ ସମସ୍ତ କର୍ମକର୍ତା, ସମସ୍ତ ସଂଗଠନ ମୁଖ୍ୟ, ନଗର ଏବଂ ବ୍ଲକ ସଭାପତି, ଜିଲ୍ଲା ପରିକ୍ଷଦର ସଭାପତି ଓ ଉପସଭାପତିଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପତ୍ର ଲେଖିଛନ୍ତି ।

ଏହି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବିଗତ ୬ମାସ ମଧ୍ୟରେ କରୋନା ମହାମାରୀ ସାଧାରଣ ଜନଜୀବନରେ ନାହିଁ ନଥିବା ପରିବର୍ତନ ଆଣିଛି । ଆମ ଦେଶରେ ପ୍ରତିଦିନ ୧ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ଯାହା ସାରା ପୃଥିବୀରେ ସର୍ବାଧିକ । ଏମିତିରେ ମୋଟ ସଂକ୍ରମିତଙ୍କ ସଂଖ୍ୟାରେ ଆମେ ବିଶ୍ୱରେ ୨ୟ ସର୍ବାଧିକ ରାଷ୍ଟ୍ର । ଆମ ଦେଶଷ ଏବେ ଏକ ସଂକଟମୟ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି ।

ଓଡ଼ିଶାବାସୀଙ୍କ ସହଯୋଗ ଏବଂ ଆଗଧାଡିର କୋଭିଡ ଯୋଦ୍ଧାମାନଙ୍କ ନିରନ୍ତନ ଉତ୍ସର୍ଗୀକୃତ ପ୍ରଦର୍ଶନ ଯୋଗୁଁ, ଆମ ରାଜ୍ୟ ଆଜି ଦୃଢ଼ଭାବରେ କୋଭିଡ ସଂକ୍ରମଣର ମୁକାବିଲା କରିପାରିଛି । କୋଭିଡ ସଂକ୍ରମଣରୁ ଲୋକଙ୍କୁ ସୁସ୍ଥ କରିବାରେ ଏବଂ ସର୍ବନିମ୍ନ ମୃତ୍ୟୁହାର ସହିତ ସର୍ବାଧିକ ଲୋକଙ୍କୁ ଆରୋଗ୍ୟ କରିବାରେ ଆମେ ଦେଶରେ ଏକ ଅଗ୍ରଣୀ ରାଜ୍ୟ ।

ଆମ ସରକାର କୋଭିଡ ଚିକିତ୍ସା ପାଇଁ ସାରା ରାଜ୍ୟରେ ୭୭ଟି କୋଭିଡ ଚିକିତ୍ସାଳୟ ପ୍ରତିଷ୍ଠା କରିଛନ୍ତି । ଟେଷ୍ଟିଂ ଠାରୁ ଆରମ୍ଭ କରି ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସା ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ଆମ ସରକାର ବହନ କରୁଛନ୍ତି । ଆମ ରାଜ୍ୟରେ କୋଭିଡ ଚିକିତ୍ସା ବାବଦରେ କାହାରିକୁ ଟଙ୍କାଟିଏ ଦେବାକୁ ପଡୁନି । ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଟେଷ୍ଟିଂ ସହିତ ପାଖାପାଖି ୨ଲକ୍ଷ ଲୋକଙ୍କୁ ସୁସ୍ଥ କରି ଆମ ରାଜ୍ୟ କୋଭିଡ ମୁକାବିଲା କ୍ଷେତ୍ରରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛି । ସରପଂଚମାନଙ୍କୁ କୋଭିଡ ନିୟନ୍ତ୍ରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ପାଇଁ ସେମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିବାରେ ଆମେ ପ୍ରଥମ ଏବଂ ଏକମାତ୍ର ରାଜ୍ୟ । ସମୂହ ଟେଷ୍ଟିଂ, ଚିହ୍ନଟ ଏବଂ ଉପଯୁକ୍ତ ସମୟରେ ଚିକିତ୍ସା ଯୋଗାଇ ଆମେ ଗଞ୍ଜାମ ଜିଲ୍ଲାରେ କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଛୁ ଏବଂ ଅନ୍ୟ ଅଧିକ ସଂକ୍ରମିତ ଜିଲ୍ଲାରେ ଏହି ପଦ୍ଧତି ଅବଲମ୍ବନ କରି କୋଭିଡ ସ୍ଥିତିରେ ସୁଧାର ଆଣିବା ପାଇଁ ଉଦ୍ୟମ ଜାରି ରଖିଛୁ ।

କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଟୀକା ପ୍ରସ୍ତୁତି ସାରା ବିଶ୍ୱରେ ଜୋରସୋରରେ ଆଗେଇ ଚାଲିଛି । ଆମେ ରାଜ୍ୟବାସୀଙ୍କଚ ନିର୍ଦ୍ଧାରିତ ସମୟରେ ଟୀକା ଯୋଗାଇଦେବା ପାଇଁ ବିଭିନ୍ନ ଟୀକା ପ୍ରସ୍ତୁତିକାରୀ ସଂସ୍ଥାମାନଙ୍କ ସହିତ ଯୋଗସୂତ୍ର ରକ୍ଷାକରୁଛୁ ଏବଂ ଏଥିରେ ଆମେ ନିଶ୍ଚିତ ସଫଳ ହେବା ।

ବିଜୁ ଜନତା ଦଳ ବିଗତ ୨୦ବର୍ଷ ଧରି ଓଡ଼ିଶାବାସୀଙ୍କ ସୁଖଦୁଃଖର ସାଥୀ ହୋଇ ଆସିଛି । ଆଜିର କରୋନା ମହାମାରୀ ପରିସ୍ଥିତି ଆମକୁ ଏକ ଅଭାବନୀୟ ସ୍ଥିତିରେ ପହଂଚାଇଛି । ଆଜି ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ ହୋଇ ପଡିଛି । ଏଣୁ ବିଜୁ ଜନତା ଦଳ ଏ ବର୍ଷ କୋଭିଡ ମହାମାରୀ ପରିପ୍ରେକ୍ଷୀରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ କରି ନଭେମ୍ବର ୨ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ “ଜନ ସଚେତନତା ଅଭିଯାନ” ଆୟୋଜନ କରୁଛି ।

ଟୀକା ଆମ ନିକଟରେ ପହଂଚିବା ପର୍ଯ୍ୟନ୍ତ ମାସ୍କ ହିଁ ହେଉଛି ଆମର ସୁରକ୍ଷା କବଚ । ଏଣୁ ଦଳର ପ୍ରତ୍ୟେକ ବିଧାୟକ ପଂଚାୟତସ୍ତରରେ ଗ୍ରାମବାସୀଙ୍କୁ ମାସ୍କ ବଂଟନ କରି ଏହାର ଉପଯୁକ୍ତ ବ୍ୟବହାର ସମ୍ପର୍କରେ ସଚେତନ କରିବେ । କରୋପା ରୋକିବା ସହିତ ସଂକ୍ରମଣକୁ ରକ୍ଷା ପାଇବା ପାଇଁ ସମସ୍ତେ ସଚେନତ ଏବଂ ସତର୍କ ରହିବା ଜରୁରୀ । କୋଭିଡ ନିୟମ ପାଳନ କରିବା, ଟେଷ୍ଟିଂରେ ସହଯୋଗ କରି ଉପଯୁକ୍ତ ସମୟରେ ନିଜର ଚିକିତ୍ସା କରାଇନେବା, ଆଗଧାଡିର କୋଭିଡ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ସହିତ ସମ୍ମାନ ପ୍ରଦର୍ଶନ କରିବା ଏବଂ ପ୍ଲାଜମା ଦାନ କରିବା ପାଇଁ ସମସ୍ତେ ବହୁ ସଂଖ୍ୟାରେ ଆଗେଇ ଆସନ୍ତୁ ।

ଗୁରୁତର କୋଭିଡ ରୋଗୀଙ୍କ ପାଇଁ ପ୍ଲାଜମା, ଜୀବନ ବିନ୍ଦୁ ଅଭିଯାନରେ ରକ୍ତଦାନ ଏବଂ ମୃତକଙ୍କ ଶବ ସତ୍କାର ପାଇଁ ‘ଓଡ଼ିଶା ମୋ ପରିବାର’ ନିଷ୍ଠାପର ଉଦ୍ୟମ ଆରମ୍ଭ କରିଛି । ଆପଣମାନେ ନିଜ ନିର୍ବାଚନ ମଣ୍ଡଳୀରେ ‘ଓଡ଼ିଶା ମୋ ପରିବାର’ ସହିତ ସାମିଲ ହୋଇ ଏସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଆଗେଇ ନିଅନ୍ତୁ ।

ଆସନ୍ତୁ ବିଜୁ ଜନତା ଦଳର ଜଣେ ଉତ୍ସର୍ଗୀକୃତ କର୍ମୀ ଭାବେର ଓଡ଼ିଶାବାସୀଙ୍କ ପାଇଁ ଆମେ ଆମ ଉତରଦାୟିତ୍ୱ ନିର୍ବାହ କରିବା, କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟବାସୀଙ୍କୁ ସଚେତନ କରିବା, କରୋନା ଯୁଦ୍ଧରେ ପ୍ରତ୍ୟେକ ଜଣେ ଜଣେ ଯୋଦ୍ଧା ସାଜିବା, କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ କରୋନା ବିରୁଦ୍ଧରେ ସଂଗ୍ରାମ ଜାରି ରଖିବା, ଓଡ଼ିଶାକୁ ଜିତାଇବା ।