ଓଡ଼ିଶୀକୁ ଶାସ୍ତ୍ରୀୟ ସଂଗୀତ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି

ଭୁବନେଶ୍ୱର: ଓଡ଼ିଶୀ ସଂଗୀତ ୨ ହଜାର ବର୍ଷର ପୁରୁଣା । ଏହା ଶାସ୍ତ୍ର ଆଧାରିତ ହୋଇଥିବାବେଳେ ନିଜସ୍ୱ ରାଗ ରହିଛି । ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ସଂଗୀତର ମାନ୍ୟତା ଦେବା ପାଇଁ ଓଡ଼ିଶାର କଳା ଓ ସଂଗୀତ ପ୍ରେମୀମାନେ ଦାବି କରି ଆସୁଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତ ସମ୍ପର୍କରେ ଏକ ବିଶଦ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଓଡ଼ିଶା ଓ ସର୍ବୋପରି ଭାରତର ସଂଗୀତ ପ୍ରେମୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ପାଇଁ ଏହାକୁ ଶାସ୍ତ୍ରୀୟ ସଂଗୀତର ମାନ୍ୟତା ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ପତ୍ର ଲେଖି ମୁଖ୍ୟମନ୍ତ୍ରୀ ଏହି ଦାବି ଉପସ୍ଥାପନ କରିଛନ୍ତି ।

cm news

ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଳେଖ କରିଛନ୍ତିଯେ, ୨ ହଜାର ବର୍ଷର ଏହି ଓଡ଼ିଶୀ ସଂଗୀତ ଶାସ୍ତ୍ର ଉପରେ ଆଧାରିତ ହୋଇଥିବାବେଳେ ଏହାର ନିଜସ୍ୱ ରାଗ ରହିଛି । ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକ ସଂଗୀତ ଠାରୁ ଏହା ଭିନ୍ନ । ଏହାର ସ୍ୱତନ୍ତ୍ର ଗାୟନ ଶୈଳୀ ରହିଥିବାବେଳେ ଶାସ୍ତ୍ରୀୟ ଲେଖା ଓ ତାଳ ମଧ୍ୟ ରହିଛି । ଶାସ୍ତ୍ରୀୟ ସଂଗୀତର ମାନ୍ୟତା ପାଇବା ପାଇଁ ଓଡ଼ିଶୀ ସଂଗୀତର ସମସ୍ତ ବୈଶିଷ୍ଟ୍ୟ ଓ ସ୍ୱାତନ୍ତ୍ର୍ୟତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।

ସେହିପରି ରାଜ୍ୟ ସରକାର ଏହାକୁ ଶାସ୍ତ୍ରୀୟ ସଂଗୀତ ମାନ୍ୟତା ଦେବା ପାଇଁ ଆନୁଷ୍ଠାନିକ ଭାବେ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଓଡ଼ିଶୀ ସଂଗୀତ, ନୃତ୍ୟ ଓ ଡ୍ରାମାର ପ୍ରଚାର ପ୍ରସାର ପାଇଁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପ୍ରତିଷ୍ଠା କରାଯାଇଛି । ୧୯୯୯ରେ ରାଜ୍ୟ ସରକାର ଓଡ଼ିଶାର ସଂସ୍କୃତି, କଳା, ମୁ୍ୟଜିକ ଓ ପରମ୍ପରାକୁ ପ୍ରୋତ୍ସାହିତ କରିବା ପାଇଁ ଉକôଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ବି ପ୍ରତିଷ୍ଠା କରିଛନ୍ତି ।

ଓଡ଼ିଶୀ ସଂଗୀତ ଭାରତୀୟ ସଂସ୍କୃତିକୁ ବି ବହୁଳ ଭାବେ ପ୍ରଭାବିତ କରିଛି । ଓଡ଼ିଶାର ବହୁ ଚିତ୍ରକର, ମୂର୍ତିକାର, ନୃତ୍ୟଶିଳ୍ପୀ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଛନ୍ତି । ନିଆରା ଭଙ୍ଗୀ, ଠାଣି, ଲାଲିତ୍ୟ ଓ ମୁଦ୍ରା ଇତ୍ୟାଦି ପାଇଁ ଓଡ଼ିଶୀ ନୃତ୍ୟ ବେଶ ପ୍ରସିଦ୍ଧି ଅର୍ଜନ କରିଥିଲେବି ଏଯାବତ ଜାତୀୟସ୍ତରରେ ଶାସ୍ତ୍ରୀୟ ସଂଗୀତର ମାନ୍ୟତା ଲାଭ କରିପାରିନାହିଁ । ନିକଟରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟରେ ରାଜ୍ୟ ସରକାର ଏହାକୁ ଶାସ୍ତ୍ରୀୟ ସଂଗୀତ ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ନିଷ୍ପତି ନେଇଥିଲେ । ଏହି ପରିପ୍ରେକ୍ଷୀରେ ଆମର ଐତିହ୍ୟ ଓ ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟତାକୁ ସମ୍ମାନ ଦେବା ପାଇଁ ଏହାକୁ ଶାସ୍ତ୍ରୀୟ ସଂଗୀତର ମାନ୍ୟତା ଦେବାକୁ ନବୀନ ଦାବି କରିଛନ୍ତି ।