ଛତିଶଗଡରେ ଓଡିଆ ଶ୍ରମିକ ବସ୍ ଦୁର୍ଘଟଣା ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଛତିଶଗଡ଼ ଛେରିଖେଡ଼ି ସଡ଼କ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲାର ୭ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ସମସ୍ତ ଆହତଙ୍କ ଚିକିତ୍ସା ମାଗଣାରେ କରାଯିବ । ସେମାନଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ତୁରନ୍ତ ରାୟପୁର ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଜରୁରିକାଳୀନ ସହାୟତା କରିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଛତିଶଗଡ଼ ପୋଲିସ ଡିଜିଙ୍କ ସହ ସମନ୍ୱୟ ରକ୍ଷା କରିବା ପାଇଁ ପୋଲିସ ଡିଜି ଅଭୟଙ୍କୁ ବି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ସକାଳୁ ରାୟପୁର ନିକଟରେ ଗଞ୍ଜାମ ଜିଲ୍ଲାର ଶ୍ରମିକଙ୍କୁ ସୁରତ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଗୁରୁତର ହୋଇଛନ୍ତି ।