ହିତାଧିକାରୀଙ୍କ ସନ୍ତୋଷ ଯୋଜନାର ସବୁଠାରୁ ବଡ ସଫଳତା: ମୁଖ୍ୟମନ୍ତ୍ରୀ

ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେଲା ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ

ଭୁବନେଶ୍ୱର:ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେଲା ମହିଳା, ଶିଶୁ ବିକାଶ ଓ ମିଶନ ବିଭାଗ । ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କ ସହିତ ସିଧାସଳଖ କଥା ହେବେ ସରକାର । ଆଜି ଲୋକସେବା ଭବନରୁ ଭିଡିଓ କନଫରେନସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳା, ଶିଶୁବିକାଶ ଓ ମିଶନ ଶକ୍ତି ବିଭାଗ ଅଧିନରେ ମା’ ଓ ଶିଶୁ ମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କଲ୍ୟାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ଏହିସବୁ କାର୍ଯ୍ୟକ୍ରମର ସୁଫଳ ହିତାଧିକାରୀଙ୍କ ପାଖରେ ଠିକ୍ ଭାବରରେ ପହଂଚିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଶିଶୁମାନଙ୍କ ପୃଷ୍ଟି କାର୍ଯ୍ୟକ୍ରମର ସଫଳତା ସହିତ ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାର ହ୍ରାସ ଦିଗରେ ରାଜ୍ୟ ସରକାରଙ୍କ ସଫଳତାରେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ କର୍ମଚାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କର ନିଷ୍ଠାପର ଉଦ୍ୟମ ଦ୍ୱାରା ମମତା କାର୍ଯ୍ୟକ୍ରମ ସୁଦୃଢ଼ ହେବା ସହିତ ମା’ ମାନଙ୍କ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦାହରଣ ସୃଷ୍ଟି କରିଛି । ଏହିସବୁ ଭଲ କାମକୁ ଆଗକୁ ଜାରି ରଖିବା ସହିତ ଦୁର୍ନୀତିକୁ କୌଣସି ପରିସ୍ଥିତିରେ ପ୍ରଶୟ ନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ହିତାଧିକାରୀଙ୍କ ସନ୍ତୋଷ ହେଉଛି ଯୋଜନାର ସବୁଠାରୁ ବଡ ସଫଳତା । ଲୋକଙ୍କୁ ଉତମ ସେବା ଯୋଗାଇ ଦେବା ହେଉଛି ମୋ ସରକାର କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଲୋକଙ୍କ ମତାମତ ଭିତିରେ ହିଁ ସେବା ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଭଲ କାମ ପାଇଁ ପ୍ରଂଶସା ଓ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ତାଙ୍କ ଭାଷଣରେ ମୋ ସରକାର କାର୍ଯ୍ୟକ୍ରମର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ କୁମାର ତ୍ରିପାଠୀ କହିଥିଲେ, ମୋ ସରକାର କାର୍ଯ୍ୟକ୍ରମ ସାରା ଦେଶରେ ଏକ ଅଭିନବ ପ୍ରୟାସ । ତେଣୁ ଏହାର ସଫଳ କାର୍ଯ୍ୟକାରିତା ଉପରେ ବିଶେଷ ଦୃଷ୍ଟି ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ସେ ପରାମର୍ଶ ଦେଇଥିଲେ ।

୫ଟି ସଚିବ ଶ୍ରୀ ଭି. କାର୍ତୀକେୟ ପାଣ୍ଡିଆନ୍ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କୁ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇବା ସହ ଏହାର ବିଭିନ୍ନ ଦିଗ ସମ୍ପର୍କରେ ମଧ୍ୟ ସେମାନଙ୍କ ସହିତ ଆଲୋଚନା କରିଥିଲେ । ବିଭିନ୍ନ ଅଙ୍ଗନୱାଡିକୁ ଯୋଗାଇ ଦିଆଯାଉଥିବା ଛତୁଆ କାର୍ଯ୍ୟକ୍ରମରେ କେବଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏହାକୁ କଡାକଡି ଭାବରେ ପାଳନ କରିବା ପାଇଁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ ।

ସେହିପରି ଶିଶୁମାନଙ୍କ ଯତ୍ନ ନେଉଥିବା ବିଭିନ୍ନ ଅନୁଷ୍ଠାନମାନଙ୍କରେ ଇନସ୍ପେକ୍ସନ ରିପୋର୍ଟ ଓ ଗ୍ରାଂଟ ଇନ୍ ଆଡ ପ୍ରଦାନ ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅନୃ ସରଭିସ୍ ପ୍ରୋଭାଇଡର ମାନଙ୍କ ବିଲ ମଞ୍ଜୁର ଏବଂ ମିଶନ ଶକ୍ତିର ଆବର୍ତନ ପାଣ୍ଠି ଏବଂ ନିର୍ମାଣ ଭିତିକୁ ପାଣ୍ଠି ଆଦି ପ୍ରଦାନ କରିବା କ୍ଷେତ୍ରରେ ହିତାଧିକାରୀଙ୍କୁ ହଇରାଣ ହରକତ ନ କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ସତର୍କ କରାଇ ଦେଇଥିଲେ । ଏହିସବୁ କାର୍ଯ୍ୟକ୍ରମ ବର୍ତମାନ ମୋ ସରକାର କାର୍ଯ୍ୟକ୍ରମ ଅଧିନରେ ତଦାରଖ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବିଭାଗୀୟ ଉପଦେଷ୍ଟାମାନେ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।