ନୂଆପଡାରେ ୩୯ ପ୍ରକଳ୍ପର ଉଦ୍ଘାଟନ, ଭିତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ନୂଆପଡା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଗସ୍ତ କରିଛନ୍ତି । ସେଠାରେ ୨୪୦କୋଟି ଟଙ୍କାର ୩୯ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବା ସହ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ଜରିଆରେ ୩୦ଲକ୍ଷରୁ ଊଦ୍ଧ୍ୱର୍ ଚାଷୀ ଉପକୃତ ହୋଇଥିବା କହିଥିଲେ । ଚାଷୀଙ୍କୁ ବିନା ସୁଧରେ ଋଣ ଦିଆଯାଉଛି । କେନ୍ଦ୍ର ସରକାର ପିଏମ୍ କିଷାନ ଯୋଜନାରେ ଚାଷୀମାନଙ୍କୁ ୬ ହଜାର ବଦଳରେ ୧୦ ହଜାର ଦିଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।


ସେ ଆହୁରି କହିଛନ୍ତି ଯେ, କାଳିଆ ଯୋଜନା ହେଉଛି ଚାଷୀଭାଇଙ୍କ ଯୋଜନା । ଏଥିରେ ଛୋଟ ଚାଷୀ , ଭାଗ ହୀନ ଚାଷୀ ଏବଂ କୃଷି ଶ୍ରମିକଙ୍କର ସମସ୍ତ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇଛି । ସ୍ୱାଭିମାନ ସହ ବଂଚିବା ପାଇଁ ଚାଷୀକୁ କାଳିଆ ଯୋଜନା ସାହସ ଦେବା ସହ ସାରା ଦେଶକୁ ବାଟ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚାଷୀଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନାରେ ଭୂମିହୀନ ଚାଷୀ, ଭାଗ ଚାଷୀ ଏବଂ କୃଷି ଶ୍ରମିକଙ୍କୁ ସଂପୂର୍ଣ୍ଣ ଅଣଦେଖା କରାଯାଇଛି । ସେମାନଙ୍କ ପାଇଁ କେନ୍ଦ୍ରୀୟ ଯୋଜନାରେ କୌଣସି ସହାୟତାର ବ୍ୟବସ୍ଥା ନଥିବା ଦୁଃଖର ବିଷୟ । ହେଲେ ଭୂମିହୀନ ଚାଷୀ, ଭାଗ ଚାଷୀ , କୃଷି ଶ୍ରମିକଙ୍କ ସାର୍ଥ ଯେପରି ସୁରକ୍ଷିତ ରହିବ, ସେମାନେ ଯେପରି ଅନ୍ୟମାନଙ୍କ ପରି ସହୟତା ପାଇବେ, ତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଜଣାଇଥିବା ସହିତ କେନ୍ଦ୍ର ସରକାର ପିଏମ କିଷାନ ଯୋଜନାରେ ୬ ହଜାର ପରିବର୍ତେ ୧୦ ହଜାର ଟଙ୍କା ଦିଅନ୍ତୁ ବୋଲି କହିଛନ୍ତି ନବୀନ । ସେହିପରି ଏପ୍ରିଲ ୧ ତାରିଖରେ ଚାଷୀଙ୍କୁ କାଳିଆ ସହାୟତା ବାବଦରେ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ,ପ୍ରଥମ କିସ୍ତିରେ ୫ ହଜାର ପାଇଥିବା ଚାଷୀ ପୁଣି ୫ ହଜାର ଟଙ୍କା ପାଇବେ ବୋଲି କହିଛନ୍ତି ନବୀନ ।