ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟର ପ୍ରମାଣ : ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗର ଲୋକାୟୁକ୍ତ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ

ଲୋକାୟୁକ୍ତ ଗଠନ ପରେ ରାଜ୍ୟସରକାର ସୁପାରିଶ କରିବା ହେଉଛି ପ୍ରଥମ ଘଟଣା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତିର ଛାଇକୁ ବି ପସନ୍ଦ କରନ୍ତିନି । ଯେଉଁଠି ଦୁର୍ନୀତିର ଗନ୍ଧ ଆସିଛି ମୁଖ୍ୟମନ୍ତ୍ରୀ ସଙ୍ଗେ ସଙ୍ଗେ କଡାକାଯ୍ୟାନୁଷ୍ଠାନ ନେଇଛନ୍ତି । ଯିଏ ଯେତେ ବଡ ଅଧିକାରୀ କି ନେତା ହୋଇଥାନ୍ତୁ ନା କାହିଁକି ଦୁର୍ନୀତି ଅଭିଯୋଗ ଆସିଲେ ମୁଖ୍ୟମନ୍ତ୍ରୀ ବଡରୁ ବଡଦନ୍ତ କରାଇଛନ୍ତି । ଦୁର୍ନୀତି ଓ ଠକେଇ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଦୁର୍ନୀତି ବିରୋଧରେ ତଦନ୍ତ କରିବାକୁ ଲୋକାୟୁକ୍ତଙ୍କୁ ସୁପାରିଶ କରିଛନ୍ତି । ଆଉ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟକୁ ପୁଣି ଥରେ ପ୍ରମାଣିତ କରିଛି । ରାଜ୍ୟରେ ଲୋକାୟୁକ୍ତ ଗଠନ ପରେ ଜଣେ ବିଧାୟକଙ୍କ ବିରୋଧରେ ଆସିଥିବା ଠକେଇ ଓ ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ରାଜ୍ୟସରକାର ସୁପାରିଶ କରିବା ହେଉଛି ପ୍ରଥମ ଘଟଣା ।

ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଗିରଫ ହୋଇ ଏବେ ଝାରପଡ଼ା ଜେଲ୍ ରେ ଅଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଦୁର୍ନୀତିରେ ପୋତି ହୋଇଥିବା ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ଏବଂ ଟାଟା ମୋଟର୍ସର ଜାଲ୍ ଏମଡି ପରିଚୟ ଦେଇ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକିଥିବା ତାଙ୍କ ପୁଅ ଆକାଶ ପାଠକ ଭିଜିଲାନସ୍ ଓ କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିବା ପରେ ବିଧାୟକଙ୍କ ଭୂମିକା ସାମନାକୁ ଆସିଥିଲା । ଆକାଶଙ୍କୁ ଜ୍ୱାଇଁ କରିବାକୁ ଯାଉଥିବା ପ୍ରଦୀପ ପାଣିଗ୍ରାହୀ ଭାବୀ ସମୁଦୀ ଓ ଜ୍ୱାଇଁଙ୍କ ଦୁର୍ନୀତି ଓ ଠକେଇ କାର୍ଯ୍ୟରେ ସହଯୋଗ କରି ଆସୁଥିବା ଅଭିଯୋଗ ହୋଇଛି । ଭାବୀ ଜ୍ୱାଇଁଙ୍କ ପକ୍ଷରୁ ବିଧାୟକ ନିଜ ନିର୍ବାଚନମଣ୍ଡଳୀର ବେକାର ଯୁବକଯୁବତୀଙ୍କୁ ଟାଟା ମୋଟର୍ସରେ ଜାଲ୍ ନିଯୁକ୍ତିପତ୍ର ଦେଇ ଲକ୍ଷ ଲକ୍ଷ ଟଙ୍କା ଠକିଥିବା କ୍ରାଇମବ୍ରାଞ୍ଚ ତଦନ୍ତରୁ ଧରାପଡ଼ିବା ପରେ ଗିରଫ ହୋଇଛନ୍ତି ।  ଏଇ ୪ ମାସ ଭିତରେ ବିଧାୟକଙ୍କ ଆକାଉଣ୍ଟରେ ଅଢ଼େଇ କୋଟି ଟଙ୍କା ଡିପୋଜିଟ୍ ହୋଇଛି । ଗଞ୍ଜାମ ଜିଲ୍ଲାର ଜଣାଶୁଣା ମଦ ମାଫିଆ, ବାଲି ଓ ମୋରମ୍ ମାଫିଆଙ୍କଠାରୁ ଏହି ଟଙ୍କା ଆସିଛି । ବିଧାୟକଙ୍କ ଆକାଉଣ୍ଟରେ ସେମାନେ ଏତେ ଟଙ୍କା ଡିପୋଜିଟ୍ କରିବା ପଛର ରହସ୍ୟକୁ ଛାନଭିନ୍ କରୁଛି କ୍ରାଇମବ୍ରାଞ୍ଚ ।

ସୂଚନା ମୁତାବକ, ଗତ ୪ମାସ ମଧ୍ୟରେ ପ୍ରଦୀପଙ୍କ ଆକାଉଣ୍ଟରେ ପ୍ରାୟ ୨ କୋଟି ୬୩ ଲକ୍ଷ ୯୪ ହଜାର ୭୮୬ ଟଙ୍କା କାରବାର ହୋଇଛି । ଶ୍ରୀ ପାଣିଗ୍ରାହୀଙ୍କର ବ୍ରହ୍ମପୁର କୋର୍ଟପେଟା ଆକାଉଣ୍ଟଜରିଆରେ ଏହି ଅର୍ଥ କାରବାର ହୋଇଛି । ସବୁଠାରୁ ବଡ଼ କଥା ହେଲା, ଗତ ନଭେମ୍ବର ୨ ତାରିଖରେ କମ୍ବୁ ପାଣିଗ୍ରାହୀଙ୍କ ଜରିଆରେ ଏହି ଆକାଉଣ୍ଟକୁ ଆସିଥିବା ୨୦ଲକ୍ଷ ଟଙ୍କା ପ୍ରଦୀପ ସେହି ଦିନ ଆକାଶ ପାଠକ ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି । କେବଳ ସେତିକି ନୁହେଁ, ଗୁରୁମୂର୍ତି ଅଏଲ୍ କଂପାନି ଜରିଆରେ ଆସିଥିବା ୪୦ଲକ୍ଷ ଟଙ୍କା ମଧ୍ୟ ଆକାଶ ଆକାଉଣ୍ଟକୁ ସେହିଦିନ ଯାଇଛି । ପ୍ରଦୀପଙ୍କର ଗୋଟିଏ ଆକାଉଣ୍ଟର ଏଭଳି ସ୍ଥିତି ତଦନ୍ତକାରୀ ଅଧିକାରୀଙ୍କୁ ବିଚଳିତ କରିଦେଲାଣି । ପୂର୍ବରୁ ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜଡି ସଭାପତି ନବୀନ ପଟ୍ଟନାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କାର କରିଥିଲେ ଆଉ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି । ଜଣାପଡ଼ିଛି ଯେ ଗଞ୍ଜାମ ଜିଲ୍ଲାର ବଡ଼ ମଦ ବ୍ୟବସାୟୀ ସୂର୍ଯ୍ୟ ସାହୁଙ୍କ ସଂପର୍କୀୟ ରବୀନ୍ଦ୍ର ସାହୁଙ୍କ ଆକାଉଣ୍ଟରୁ ପ୍ରଦୀପଙ୍କ ଆକାଉଣ୍ଟକୁ ପାଖାପାଖି ୭୫ଲକ୍ଷ ଟଙ୍କା ଟ୍ରାନ୍‌ସଫର୍ ହୋଇଛି । କାହିଁକି ରବୀନ୍ଦ୍ର ଏହି ଟଙ୍କା ଦେଇଛନ୍ତି? ସେହିଭଳି ଅଗଷ୍ଟ ୨୭ ତାରିଖରେ ସୂର୍ଯ୍ୟ ଫିଲିଙ୍ଗ୍ ଷ୍ଟେସନର ମାଲିକ ସୂର୍ଯ୍ୟ ସାହୁ କାହିଁକି ୪୦ଲକ୍ଷ ଟଙ୍କା ଜମା କରିଛନ୍ତି? ଏସ୍ କେ ମହାରଣା କିଏ? ସେ କାହିଁକି ୨୫ଲକ୍ଷ ଟଙ୍କା ଜମା କରିଛନ୍ତି? ସେହିଭଳି ଝୁନୁ ପାଣିଗ୍ରାହୀ କେଉଁ ପରିସ୍ଥିତିରେ ୧୫ଲକ୍ଷ ଟଙ୍କା ଜମା କଲେ? କୌତୂହଳ କଥା ହେଉଛି, ଗତବର୍ଷ ଶ୍ରୀ ପାଣିଗ୍ରାହୀ ତାଙ୍କ ରୋଜଗାର ପାଖାପାଖି ୧୦ଲକ୍ଷ ଟଙ୍କା ବୋଲି ଆୟକର ବିଭାଗ ରିଟର୍ଣ୍ଣ ଦାଖଲ କରିଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ଏହି ୨କୋଟି ୪୮ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟ ଜରିଆରେ କାରବାର ହେଲା, ତାହା ଏବେ ତଦନ୍ତକାରୀ ଅଧିକାରୀଙ୍କୁ ଆଚମ୍ବିତ କରୁଛି । ଯଦି ଗୋଟିଏ ବ୍ୟାଙ୍କ ଆକାଉଣ୍ଟର ସ୍ଥିତି ଏୟା, ତେବେ ଅନ୍ୟ ଆକାଉଣ୍ଟ ସ୍ଥିତିରେ କଣ ହୋଇଥିବ, ତାହା ତଦନ୍ତ ସାପେକ୍ଷ । ଉଲ୍ଲେଖଥାଉକି, ରବୀନ୍ଦ୍ର କୁମାର ସାହୁଙ୍କ ଠାରୁ ୭୫ଲକ୍ଷ, ଗୁରୁମୂର୍ତି ଅଏଲ୍ କଂପାନି ଜରିଆରେ ୪୦ଲକ୍ଷ, ସରୋଜ ମିଶ୍ର ୧୫ଲକ୍ଷ, ଏସ୍ କେ ମହାରଣା ୨୫ଲକ୍ଷ, କୋମଲେନ୍ ପାଣି ସାହୁ ୨୦ଲକ୍ଷ, ଗୁରୁକୁଳ ଇଣ୍ଟରନ୍ୟାସନାଲ ୧୦ଲକ୍ଷ, ହେମନ୍ତ କୁମାର ରଥ ୪ଲକ୍ଷ ଟଙ୍କା ପ୍ରଦୀପଙ୍କ ଆକାଉଣ୍ଟରେ ଜମା କରିଛନ୍ତି । ଆଉ ଏହି ଅର୍ଥ କାରବାର ହିଁ ଭାବି ଶଶୂର-ଜ୍ୱାଇଁଙ୍କ ୪୨୦ କାରବାରକୁ ଧରା ପକାଇ ଦେଇଛି ବୋଲି କୁହାଯାଉଛି ।

ପ୍ରଦୀପଙ୍କ ବିରୋଧରେ ଆଇପିସିର ଧାରା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ (ବି) ଲାଗିଛି । ଏଥିସହ ଆଇଟି ଆକ୍ଟ ୨୦୦୦ ସେକ୍ସନ ୬୬ ସି ଓ ୬୬ ଡି ଧାରା ଲାଗିଛି । ଆକାଶଙ୍କ ଟାଟା ମୋଟର୍ସରେ ଚାକିରି କରାଇବା ମାମଲାକୁ ସାଇବର ଅପରାଧ ଭାବେ ନେଇଛି କ୍ରାଇମବ୍ରାଞ୍ଚ । ଏହି ସବୁ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ହେଇପାରେ ।

 

cm naven patnaik referred mla pradeep panigrahi corruption case to lokayukta investigation