ପେପରଲେସ୍ ହେଲା RTO, ୯ଟି ଅନଲାଇନ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାରଙ୍କ ୫T କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟ କରିବ ଅନଲାଇନ୍ ସେବା

ଭୁବନେଶ୍ୱର : ଗାଡ଼ି କାଗଜପତ୍ର ପାଇଁ ଆଉ ଧାଇଁବାକୁ ପଡ଼ିବନି ଆରଟିଓ କାର୍ଯ୍ୟାଳୟ । ଅନଲାଇନରେ ହେବ ସବୁ କାଗଜପତ୍ର କାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପରିବହନ ସେବା ସମ୍ପର୍କିତ ୯ ଗୋଟି ଅନଲାଇନ୍ ସେବାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ୫T କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟ କରିବ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲର୍ଣ୍ଣର୍ସ ଲାଇସେନ୍ସ ମୋବାଇଲ୍ ଆପ୍ ଆଣିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସବୁ ସେବା ଅନଲାଇନ୍ ହେବା ଫଳରେ ଆଉ ଗୋଟିଏ ଆରଟିଓରୁ ଅନ୍ୟ ଆରଟିଓକୁ ଧାଇଁବାକୁ ପଡ଼ିବ ନାହିଁ । ଗାଡ଼ି ପଞ୍ଜିକରଣ ଠାରୁ ଆରମ୍ଭ କରି ପରିବହନ ଅନୁମତି, ସ୍ୱତନ୍ତ୍ର ବସ୍ ପରମିଟ୍, ଅନ୍ତର୍ଜାତୀୟ ଡ୍ରାଇଭିଂ ପରମିଟ୍, କୌଣସି ଆରଟିଓରୁ ଦେଶର କୌଣସି ସ୍ଥାନକୁ ମାଲିକାନା ସ୍ଥାନାନ୍ତରଣ ଅଥବା ପୁନଃ-ପଞ୍ଜିକରଣ ଆଦି ଅନଲାଇନରେ କରିହେବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ଗାଡ଼ି ସମ୍ବନ୍ଧୀୟ କାର୍ଯ୍ୟ ଲାଗି ଯେ କେହିବି ସ୍ୱାଧୀନତାର ସହ ଇଚ୍ଛା ମୁତାବକ ଆରଟିଓ ଅଫିସ୍ ଚୟନ କରିପାରିବେ । ପରିବହନ କାର୍ଯ୍ୟାଳୟ ଆଗରେ ଲମ୍ବା ଧାଡ଼ି ଲାଗିବା ଅତୀତ ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି । ୫T କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ବ୍ୟକ୍ତିକୈନ୍ଦ୍ରିକ ସେବା ଅନଲାଇନରେ ଯୋଗାଇ ଦେଉଛନ୍ତି । ଦୈନନ୍ଦିନ ଜୀବନରେ ପରିବହନ ସେକ୍ଟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ପେପରଲେସ୍ ଓ କଣ୍ଟାକ୍ଟଲେସ୍ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏନଆଇସ୍ ପ୍ଲାଟଫର୍ମ ଉପଯୋଗ କରି ଡିଜିଟାଲ୍ ଦସ୍ତଖତ ଓ ସ୍ୱୟଂ ନମ୍ବର ବାହାର କରୁଛି । ଅନଲାଇନରେ କୌଣସି ଆରଟିଓରେ ମାଲିକ ଗାଡ଼ି ପଞ୍ଜିକରଣ କରିପାରେବି । ଏଥିସହ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଉମଙ୍ଗ ଆପରେ ଲର୍ଣ୍ଣର ଲାଇସେନ୍ସ ଉପଲବ୍ଧ କରାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ପରିବହନ ସେବାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିଥିବାରୁ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଯେ କେହିବି କୌଣସି ସ୍ଥାନରୁ ଗାଡ଼ି କିଣିଲେ । ଡିଲର ଅନଲାଇନରେ ଆପ୍ଲାଏ କରିବେ । କାଗଜପତ୍ର ସ୍କାନ୍ କରି ଅନଲାଇନରେ ଅପଲୋଡ୍ କରିବେ । ଅନଲାଇନରେ ଟ୍ୟାକ୍ସ ଭରିବା ପରେ ସ୍ୱୟଂ ଗାଡ଼ି ପଞ୍ଜିକରଣ ନମ୍ବର ଆସିବ । ଏଥିପାଇଁ କୌଣସି ହାର୍ଡ କପି ଦେବାକୁ ପଡ଼ିବ ନାହିଁ କି ଆରଟିଓ ଅଫିସ୍ ଯିବାକୁ ପଡ଼ିବ ନାହିଁ । ପ୍ରତିବର୍ଷ ହାରାହାରି ୧ କୋଟି ପୃଷ୍ଠା ସେଭ୍ କରାଯାଇ ପାରିବ । ଫଳରେ ବାର୍ଷିକ ୧ ହଜାର ଗଛ ରକ୍ଷା ଯାଇପାରିବ ।

CM naveenpatnaik inaugurate 9 online services of state transport authority