ହାତ ଧୋଇଲେ, ସଚେତନତା ବାର୍ତା ଦେଲେ

ଭୁବନେଶ୍ୱର: କୋରୋନା ଭାଇରସ ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହାତ ଧୋଇ ସଚେତନତା ବାର୍ତା ଦେଇଛନ୍ତି । ବିଧାନସଭା ସମ୍ମିଳନୀକକ୍ଷରେ ସମସ୍ତ ବିଧାୟକ ଓ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସହ କରୋନା ସଂପର୍କିତ  ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ବିଧାନସଭା ପରିସରରେ ଆଜି ସେ ପ୍ରଥମେ ହାତ ଧୋଇ ସଚେତନତା ବାର୍ତା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଓ ଦଳ ନିର୍ବିଶେଷରେ ବିଧାୟକମାନେ ମଧ୍ୟ ହାତ ଧୋଇଛନ୍ତି। ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିଧାୟକମା‌ନେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ପ୍ରଥମେ ବାଚସ୍ପତି କୋରୋନା ସତର୍କତା ଲାଗି ୨୯ ପର୍ଯ୍ୟନ୍ତ ବିଧାନସଭା ମୁଲତବୀ ହେବା ସଂପର୍କରେ ସୂଚନା ଦେଇଥିଲେ। ଏହା ପରେ ମୁଖ୍ୟସଚିବ ଅସିତ ତ୍ରିପାଠୀ ଏବଂ ସ୍ୱାସ୍ଥ୍ୟସଚିବ ଗଗନ ଧଳ କୋରୋନା ଦେଶ ଓ ପୃଥିବୀରେ କୋରୋନା ଭୟାବହତା ଏବଂ ଏଥିରୁ ବର୍ତିବା ଲାଗି ଆଶ୍ୟକୀୟ ସଚେତନତା ଓ ସତର୍କତାମୂଳକ ପଦକ୍ଷେପ ସଂପର୍କରେ ବର୍ଣ୍ଣନା କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପସ୍ଥିତ ସମସ୍ତେ ସାବୁନରେ ହାତଧୋଇ ସଚେତନତାର ବାର୍ତା ଦେଇଥିଲେ।