କଟକରେ ଅନ୍ତଃରାଜ୍ୟ ନେତାଜୀ ବସ ଟର୍ମିନାଲ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଟକ : ଖାନନଗର ଠାରେ ବହୁପ୍ରତୀକ୍ଷିତ ଅନ୍ତଃରାଜ୍ୟ ବସ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆନ୍ତରାଜ୍ୟ ବସ ଟର୍ମିନାଲ ନେତାଜୀଙ୍କ ନାମରେ ନାମିତ ହୋଇଛି । ୧୮ ମାସ ଭିତରେ ନୂଆ ବସ ଟର୍ମିନାଲ କାର୍ଯ୍ୟ ଶେଷ କରିବାକୁ ଳକ୍ଷ ରଖାଯାଇଛି । ଏଥିପାଇଁ ୬୫କୋଟି ଟଙ୍କାର ବଜେଟ୍ ରଖିଛନ୍ତି ରାଜ୍ୟ ସରକାର । ୧୨ ଏକର ପରିମିତ ଜମିରେ ହେବାକୁ ଯାଉଛି ଏହି ଆକର୍ଷଣୀୟ ବସ ଟର୍ମିନାଲ। ଏଠାରେ ଏକାଥରକେ ୧୮୦ ଟି ବସ ରହିପାରିବାର ବ୍ୟବସ୍ଥା କରାଯାଇଛି । ପୁରୁଣା ବସ ଷ୍ଟାଣ୍ଡରେ ଥିବା ଅନୁଗୁଳ, ଭୁବନେଶ୍ୱର, ପୁରୀ ଷ୍ଟାଣ୍ଡରୁ ମଧ୍ୟ ଭିଡ଼ କମାଇବା ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି । ଶିଳାନ୍ୟାସ ସରିଛି , ଏବେବ ଏହି ଜମିରୁ ଉଚ୍ଛେଦ କାମ ହେବ ।

ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନର ଅଂଶସ୍ବରୂପ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଖାନନଗର ଠାରେ କଟକ ନେତାଜୀ ବସ୍‌ ଟର୍ମିନାଲର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନେତାଜୀ ଏହି କଟକ ମାଟିର ପୁଅ । ଏହି କଟକରେ ଜନ୍ମ ହୋଇଥିଲେ ଓ ବଡ ମଧ୍ୟ ହୋଇଥିଲେ । ଏହି କଟକ ମାଟି ତାଙ୍କୁ ସେବା ଓ ସଂଗ୍ରାମର ମନ୍ତ୍ରରେ ଦୀକ୍ଷିତ କରିଥିଲା । ତେଣୁ ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବରେ ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଯେତେବେଳେ ବି ନେତାଜୀଙ୍କ ଜନ୍ମସ୍ଥାନକୁ ଯାଇଛନ୍ତି, ସେତେବେଳେ ସେ ଭାବୁକ ହୋଇଯାନ୍ତି । ଦେଶ ପାଇଁ ଓ ଜାତି ପାଇଁ ନେତାଜୀଙ୍କ ଅସୀମ ତ୍ୟାଗକୁ କେହି କେବେ ଭୁଲିପାରିବ ନାହିଁ ବୋଲି ସେ କରିଥିଲେ । ଭାରତର ସ୍ବାଧୀନତା ସଂଗ୍ରାମକୁ ଶକ୍ତିଶାଳୀ କରିବାରେ ତାଙ୍କର ଭୂମିକା ଥିଲା ଅତୁଳନୀୟ । ନେତାଜୀଙ୍କ ଦେଶଭକ୍ତି ଓ ସାହସ ଭାରତ ଇତିହାସରେ ଏକ ଗୌରବମୟ ଗାଥା ହୋଇ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କଟକ ନେତାଜୀ ବସ୍‌ ଟର୍ମିନାଲକୁ ଦେଶର ଏକ ମଡେଲ ବସ୍‌ ଟର୍ମିନାଲ ଭାବରେ ଗଢାଯିବ । ଏଠାକୁ ଆସୁଥିବା ସମସ୍ତଙ୍କ ମନରେ ନେତାଜୀଙ୍କ ସ୍ମୃତି ଯେପରି ଜାଗ୍ରତ ହୋଇପାରିବ, ସେଥିପାଇଁ ପଦକ୍ଷେପ ନିଆଯିବ। ନେତାଜୀଙ୍କର ଜୀବନୀ ଓ ସଂଗ୍ରାମର ଝଲକ ସବୁଠାରେ ଦେଖିବାକୁ ମିଳିବ ଏବଂ ଏଠାକୁ ଆସୁଥିବା ପ୍ରତିଟି ଲୋକ ନେତାଜୀଙ୍କ ସାହସ ଓ ଦେଶଭକ୍ତିର ବାର୍ତ୍ତା ନେଇ ଫେରିବ । ଏହି ବସ୍‌ ଟର୍ମିନାଲ ହଜାର ବର୍ଷର ସହର କଟକର ଗରିମାକୁ ଆହୁରି ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ନେତାଜୀଙ୍କୁ ଭାରତମାତାର ଅମୂଲ୍ୟ ରତ୍ନ ଭାବରେ ବର୍ଣ୍ଣନା କରି ତାଙ୍କର ଦୃଢ ନେତୃତ୍ବ, ସାହସ ଓ ଅତୁଳନୀୟ ଦେଶଭକ୍ତି ପାଇଁ ସେ ପ୍ରତିଟି ଭାରତୀୟଙ୍କ ହୃଦୟରେ ଅମର ହୋଇ ରହିବେ ବୋଲି ବର୍ଣ୍ଣନା କରି ନେତାଜୀଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ ।
ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ହେବାକୁ ଯାଉଥିବା ଏହି ନୂତନ ବସ୍‌ ଟର୍ମିନାଲରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ । ଏଥିରେ ୧୧,୦୦୦ ବର୍ଗମିଟର ନିର୍ମିତ ଅଞ୍ଚଳରେ ୧୮୦ଟି ବସ୍‌ ରହିପାରିବ ।

cm naveen to lay foundation stone of netaji bus terminal at cuttack khannagar