ନିଆଳି ଓ ପାରାଦୀପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

କଟକ/ପାରାଦୀପ : କଟକର ନିଆଳି ଓ ପାରାଦୀପ ରାହାମାରେ ଠାରେ ଆୟୋଜିତ ନିର୍ବାଚନ ପ୍ରଚାର ସଭାରେ ସୋମବାର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବା ସହ ଉଦବୋଧନ ଦେଇଛନ୍ତି। ପ୍ରଥମେ ଉପସ୍ଥିତ ଜନସାଧାରଣଙ୍କୁ ଜୟ ଜଗନ୍ନାଥ କହି ନବୀନ ନିଜ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ମିଛ ଓ ଗଣ୍ଡାଗର୍ଦ୍ଦିରେ ବଢୁଛି ବିଜେପି। ଏଭଳି ଆଚରଣ ପାଇଁ ଲୋକେ ବିଜେପିକୁ ଜବାବ ଦେବେ। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହେଲେଣି। କେନ୍ଦ୍ର ସରକାର ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରି ପାରିବେ ନାହିଁ। ଆମ ସରକାର ଆସିବାର ପ୍ରଥମ ଦିନ କାଳିଆ ଯୋଜନାରେ ୧୦ ହଜାର ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯିବ। କେନ୍ଦ୍ରକୁ ଟାର୍ଗେଟ କରି ସେ କହିଥିଲେ, ଫାଇଲିନ, ତିତିଲି, ହୁଡ୍‌ହୁଡ୍‌ ଆଦି ବାତ୍ୟା ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ରୀୟ ନେତାମାନେ ଆସି ନ ଥିଲେ। ସାଢେ ୪ କୋଟି ରାଜ୍ୟବାସୀ ମୋର ପରିବାର କହି ସେ ଆଶୀର୍ବାଦ ଲୋଡ଼ିଥିଲେ।