ବିପତ୍ତିବେଳେ ଦାୟିତ୍ବ ସଂପନ୍ନ ରାଷ୍ଟ୍ରନେତା ଭାବେ ଜାତୀୟ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା

ଅସମୟର ବନ୍ଧୁ ନବୀନ

ଭୁବନେଶ୍ୱର : ଅସମୟରେ ସହଯୋଗର ହାତ ବଢାଇବାରେ ସବୁବେଳେ ଆଗରେ ନବୀନ । ପୁଣି ଜଣେ ଦାୟିତ୍ବ ସଂପନ୍ନ ରାଷ୍ଟ୍ରନେତା ଭାବେ ସାମ୍ନାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  କୋଭିଡ ଭଳି ଏକ ସଂକଟଜନକ ସ୍ଥିତିରେ ନିଜ ରାଜ୍ୟର ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ସହ ଅନ୍ୟ ରାଜ୍ୟ ପାଇଁ ସହଯୋଗର ହାତ ବଢ଼ାଇ ନିଜର ସମ୍ବେଦନଶୀଳତାର ପରିଚୟ ଦେଇଛନ୍ତି। କୋଭିଡ ଭଳି ଏକ ଜାତୀୟ ବିପତ୍ତିରୁ କିଭଳି ଦେଶ ଶିଘ୍ର ମୁକୁଳିବ ସେନେଇ ସବୁ ସହଯୋଗ ଦେବାକୁ ଆଗଭର ହୋଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କରୋନା ସଂକଟ କାଳରେ ଦେଶ ସହ ଛିଡ଼ା ହୋଇଛି ଓଡ଼ିଶା । ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଆତଙ୍କ ସୃଷ୍ଟି କରିଛି । ଅନେକ ରାଜ୍ୟ ବେଡ୍ ସହ ଅକ୍ସିଜେନ୍ ଅଭାବକୁ ନେଇ ଚିନ୍ତାରେ ଅଛନ୍ତି । ଅମ୍ଲଜାନ ନିଅଣ୍ଟ ପଡ଼ୁଥିବାରୁ ରୋଗୀଙ୍କ ମୃତ୍ୟୁ ହେଉଛି । ଦେଶର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ତ୍ରାଣକର୍ତ୍ତା ସାଜିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ରାଜ୍ୟକୁ ମେଡିକାଲ୍ ଅକ୍ସିଜେନ୍ ପଠାଇ ସାଉଣ୍ଟିଛନ୍ତି ପ୍ରଶଂସା । ଅନେକ ରାଜ୍ୟରେ ଅକ୍ସିଜେନ୍ ଅଭାବ ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ଜାତୀୟ ଗଣମାଧ୍ୟମରେ ପ୍ରଶଂସା କରାଯାଉଛି । ଇଣ୍ଡିଆ ଟୁ଼ଡ୍ ଗ୍ରୁପ୍ ଦ୍ୱାରା ପରିଚାଳିତ ଦି ଲଲନଟପ୍ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛି । କରୋନା ସଂକଟ କାଳରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇତିହାସ ମନେ ରଖିବ ବୋଲି ଦି ଲଲନଟପ୍ ଲେଖିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଟି ଟ୍ୟାଙ୍କରରେ ୨୫୦ ଟନ୍ ମେଡିକାଲ ଅକ୍ସିଜେନ୍ ପଠାଯାଇଛି । ରାଜ୍ୟରୁ ମେଡିକାଲ ଅକ୍ସିଜେନକୁ ଆନ୍ଦ୍ରପ୍ରଦେଶର ବିଶାଖପାଟଣା, ତେଲେଙ୍ଗାନାର ହାଇଦ୍ରାବାଦ୍, ମଧ୍ୟପ୍ରଦେଶର ଇନ୍ଦୋର ଓ ମହାରାଷ୍ଟ୍ରର ମୁମ୍ୱାଇ, ପୁନେ ଓ ନାଗପୁରକୁ ପଠାଯାଇଛି । ଆଉ ଅବାଧରେ ଏହି ଅକ୍ସିଜେନ୍ ଟ୍ରାନ୍ସପୋର୍ଟ ପାଇଁ ଓଡ଼ିଶା ପୋଲିସ ନେତ୍ୱତ୍ୱରେ ଏକ ନିର୍ଦ୍ଦିଷ୍ଟ କରିଡର ଚିହ୍ନଟ କରିବା ସହ ଅକ୍ସଜେନ୍ ପଠାଯାଇଛି ।

ପୂର୍ବରୁ ମଧ୍ୟ ନବୀନ ଅନେକ ଜାତୀୟ ସଂକଟରେ ସାମ୍ନାକୁ ଆସିବା ସହ ପଡ଼ୋଶୀଙ୍କ ଦୁସ୍ଥିତିରେ କାନ୍ଧ ଦେଇଛନ୍ତି। ଅମ୍ଫାନ ବେଳେ ସେଭଳି କିଛି ଉଦାହରଣ ସୃଷ୍ଟି କରିଥିଲେ ମୁଖ୍ୟମନ୍ତ୍ରୀ । ପଶ୍ଚିମବଙ୍ଗକୁ ସହଯୋଗର ହାତ ବଢାଇ ଜାତୀୟ ଭାବନାର ଉଦ୍ରେକ କରିଥିଲେ । କେରଳ କିମ୍ବା ତାମିଲନାଡୁ ବନ୍ୟା ସମୟରେ ମଧ୍ୟ ବିପତ୍ତି ସହ ଯୁଦ୍ଧରେ ଓଡ଼ିଶା ତାର ଅଭିଜ୍ଞତା ପ୍ରଦର୍ଶନ କରିଥିଲା। ଆସାମ ଅଗ୍ନିକାଣ୍ଡ ବେଳେ ମଧ୍ୟ ଓଡ଼ିଶା ଟିମ୍‌ ସମ୍ମୁଖ ଯୁଦ୍ଧରେ ଭାଗ ନେଇଥିଲେ। ଏବେ କୋଭିଡ ବେଳେ ପୁଣି ଜାତୀୟ ସ୍ତରରେ ଓଡ଼ିଶା ସାମ୍ନାକୁ ଆସି ଦୃଷ୍ଟି ଆକର୍ଷଣ କରିଥିବା ବେଳେ ପୁଣି ପ୍ରଶଂସା ସାଉଁଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

cm naveen patnaik