ଆଜି ବିଜେପୁର ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ

ବରଗଡ଼:ବିଜେପୁର ଉପନିର୍ବାଚନ ଦିନ ଯେତିକି ପାଖେଇ ଆସୁଛି ପ୍ରଚାର ମଇଦାନ ସେତେ ଜୋର୍‌ରେ କମ୍ପୁଛି । ତିନି ପ୍ରମୁଖ ଦଳର ବହୁ ହେଭିୱେଟ୍‌ ନେତା ନିଜର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗୁଛନ୍ତି । ବିଧାୟକ ଓ ସାଂସଦଙ୍କଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ଯାଏଁ ସମସ୍ତେ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ଏଥିରେ ସାମିଲ ହୋଇଯାଇଛନ୍ତି ବିଜେଡ଼ି ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସେ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ।  

ବିଜେଡି ସୁପ୍ରିମୋ ନବୀନ ବିଜେପୁର ନିର୍ବାଚନ ମଣ୍ଡଳୀରେ ପହଞ୍ଚିବେ । ସେଠାରେ ସେ ୨ଦିନ ଧରି ରୋଡ୍‌ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନରେ ଲାଉମୁଣ୍ଡାରେ ରୋଡ଼ ଶୋ କରିବେ । ସେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଜନମତ ଲୋଡ଼ିବେ । ଏହା ପରେ ଆସନ୍ତାକାଲି ମଧ୍ୟ ପ୍ରଚାର କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ବିଜେପି ପକ୍ଷରୁ ସଭାପତି ବସନ୍ତ ପଣ୍ଡା ଓ ପ୍ରଭାରୀ ଅରୁଣ ସିଂ ପ୍ରଚାର ମଇଦାନକୁ ଓହ୍ଲାଇବେ । ସେମାନେ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରିବେ । ଏହାପୂର୍ବରୁ ଥରେ ପ୍ରଚାର କରିସାରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପୁଣି ଥରେ ଆସନ୍ତାକାଲି ବିଜେପୁର ଗସ୍ତ କରିବେ । ବିଜେପୁର ଏନଏସି, ବନ୍ଧପାଲି, ଗୋପେଇପାଲି ଓ ବରପାଲି ଏନ୍‌ସିରେ ରୋଡ଼୍‌ ଶୋ କରିବେ । ସେହିପରି କଂଗ୍ରେସ ପକ୍ଷରୁ ତାଲପଦରରେ ଆଜି ନିରଞ୍ଜନ ପଟ୍ଟନାୟକ ଓ ନରସିଂହ ମିଶ୍ର ପ୍ରଚାର କରିବେ ।