ତିନିଗୋଟି ପୁସ୍ତକ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ତିନିଗୋଟି ପୁସ୍ତକ ଲୋକାର୍ପଣ କରିଛନ୍ତି । ଏଥିମଧ୍ୟରେ ରହିଛି ସହକାରୀ ଆୟକର ଆୟୁକ୍ତ ଦୁର୍ଗାପ୍ରସାଦ ମହାପାତ୍ରଙ୍କ ୨ଟି କବିତା ସଂକଳନ ‘ସଜ ତୁଳସୀ’ ଓ ‘ଅସଜଡ଼ା ପାଖୁଡା’ । ଏହି ୨ଟି କବିତା ସଂକଳନରେ କବିସତ୍ତାର ମୌଳିକତା ଅତି ସୁନ୍ଦର ଭାବରେ ପ୍ରସ୍ଫୁଟିତ ହୋଇପାରିଛି ।

ସେହିପରି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଅଧ୍ୟାପିକା ଇପ୍ସିତା ଷଡ଼ଙ୍ଗୀଙ୍କ ଦ୍ୱାରା ଓଡ଼ିଆରେ ଅନୁବାଦିତ ତଥା ଅନନ୍ତିନୀ ଝୁମ୍ପା ମିଶ୍ରଙ୍କ ମୂଳ ଇଂରାଜୀ ରଚନା ‘ମ୍ୟାନ ହଟ୍ଟନରୁ ମୁନ୍ନାର’ ଉପନ୍ୟାସଟିକୁ ମଧ୍ୟ ଲୋକାର୍ପଣ କରିଥିଲେ ।

ଅନନ୍ତିନୀ ଝୁମ୍ପା ମିଶ୍ର ଜଣେ ପ୍ରତିଭାସମ୍ପନ୍ନ ଶିଶୁ ଲେଖିକା । ଅଳ୍ପ ବୟସରେ ଅନେକ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି କରି ସେ ପ୍ରଶଂସିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କବି ଦୁର୍ଗାପ୍ରସାଦ ମହାପାତ୍ର ଓ ଅନନ୍ତିନୀ ଝୁମ୍ପା ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଥିଲେ ।