ଓଡ଼ିଶାର ଷ୍ଟାର୍ଟଅପ୍ ପଲିସି ଦେଶରେ ସର୍ବଶ୍ରେଷ୍ଠ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଯେଉଁ ବ୍ରାଣ୍ଡ୍ ଲୋକମାନଙ୍କର ସମସ୍ୟାର ସମାଧାନ ନେଇ ଆସିବ ତାହା ସଫଳ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ଟଅପ୍ ପଲିସି ଦେଶରେ ସର୍ବଶ୍ରେଷ୍ଠ । ଏଥିପାଇଁ କରୋନା ସମୟରେ ବି ରାଜ୍ୟରେ ପୁଞ୍ଜି ନିବେଶ କମିନାହିଁ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାମ କଲେ ଭଲ ରୋଜଗାର ଏବଂ ବ୍ରାଣ୍ଡ ପ୍ରସ୍ତୁତ ହୋଇପାରିବ । ଓଡ଼ିଶାରେ ବ୍ୟବସାୟ ପାଇଁ ରାଜ୍ୟ ସରକାର ନିବେଶକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଭୁବନେଶ୍ୱରରେ ଆୟୋଜିତ ‘ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ-୨୦୨୧’ର ପୁରସ୍କାର ବିତରଣ ସମାରୋହ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।
ଯୁବକମାନେ ରାଜ୍ୟରେ ଥିବା ଶିଳ୍ପ ସହଯୋଗୀ ପଲିସିର ସୁଯୋଗ ନେଇ ଆଗକୁ ବଢନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ’ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାର ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାମ କଲେ ନିଜର ବ୍ରାଣ୍ଡ ସୃଷ୍ଟି କରିହେବ । ‘ଓୟୋ’ର ପ୍ରତିଷ୍ଠାତା ରିତେଶଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ରିତେଶ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ନୂଆ ବ୍ୟବସ୍ଥା ସୃଷ୍ଟି କରିଛନ୍ତି । ରାଜ୍ୟରେ ବ୍ୟବସାୟର ଉନ୍ନତି ପାଇଁ ସରକାର ନିରନ୍ତର କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।