ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ : ଆସନ୍ତା ଶିକ୍ଷାବର୍ଷରୁ ସରକାରୀ ସ୍କୁଲ ପିଲାଙ୍କୁ ଡାକ୍ତରୀ, ଇଂଜିନିୟରିଂ ପଢ଼ିବା ଲାଗି ମିଳିବ ସଂରକ୍ଷଣ ସୁବିଧା
ଏହାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠନ ହେବ କମିଟି
ଭୁବନେଶ୍ୱର: କଥା ରଖିଲେ ନବୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଡାକ୍ତର ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ୍ । ଓଡ଼ିଶାର ସରକାରୀ ସ୍କୁଲ ମାନଙ୍କରେ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଅସମତାକୁ ସଂଶୋଧନ କରି ସରକାରୀ ହାଇସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଡାକ୍ତର ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସ୍ଥାନ ସଂରକ୍ଷଣ ଲାଗି ନିଷ୍ପତ୍ତି ନେଇଛନ୍ତି ସରକାର । ଏହାକୁ ଆସନ୍ତା ଶିକ୍ଷା ବର୍ଷ ଠାରୁ ରାଜ୍ୟରେ ଲାଗୁ କରିବା ପାଇଁ କ୍ୟାବିନେଟରେ ସଂକଳ୍ପ ଆଗତ ହୋଇଛି ।
ଡାକ୍ତରୀ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖା ପାଇଁ ସର୍ବଭାରତୀୟ ସ୍ତରରେ ଏନଇଇଟି ଓ ଜେଇଇ ପରି ଏକକ ପ୍ରବେଶିକା ପରୀକ୍ଷା ହେବା ପରେ ଓଡ଼ିଶାର ସରକାରୀ ହାଇସ୍କୁଲ ଓ କଲେଜଗୁଡ଼ିକର ମେଧାବୀ ଛାତ୍ରଛାତ୍ରୀ ସଂଖ୍ୟା ଉକ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି । ବିଶେଷକରି ଗ୍ରାମାଞ୍ଚଳ ଛାତ୍ରଛାତ୍ରୀମାନେ ପଛେଇ ଯାଉଛନ୍ତି । ଉପରୋକ୍ତ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ପାଇଁ ଉତ୍ତମ କୋଚିଂର ଆବଶ୍ୟକତା ରହିଛି । କିନ୍ତୁ ସେସବୁ କୋଚିଂ ସୁବିଧା କେବଳ ସହରାଞ୍ଚଳରେ ଥିବାରୁ ଗ୍ରାମାଞ୍ଚଳ ଓ ସରକାରୀ ସ୍କୁଲରେ ପଢୁଥିବା ପିଲାମାନେ ଏହାର ସୁଯୋଗ ନେଇପାରୁ ନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଆସନ୍ତା ଶିକ୍ଷାବର୍ଷଠାରୁ ରାଜ୍ୟରେ ଥିବା ଡାକ୍ତରୀ, ଇଂଜିନିୟରିଂ କଲେଜଗୁଡ଼ିକରେ ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ନିମନ୍ତେ ସଂରକ୍ଷଣ ବ୍ୟବସ୍ଥା କରିବାକୁ ସଂକଳ୍ପ ନେଇଛନ୍ତି । ଏହାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାପନ୍ନ କମିଟି ଗଠନ ହେବ । ଏହି କମିଟିରେ ବିଶିଷ୍ଟ ଶିକ୍ଷାବିତଙ୍କ ସହ ବିଶିଷ୍ଟ ବ୍ୟକ୍ତିମାନେ ସଦସ୍ୟ ରହିବେ । ଏହି କମିଟି ୩ ମାସ ମଧ୍ୟରେ ତାଙ୍କର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ । କମିଟିର ସୁପାରିସକୁ ଆଗାମୀ ଶିକ୍ଷା ବର୍ଷରୁ କାର୍ଯ୍ୟକାରୀ କରାଯିବ । କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତିକୁ ନେଇ ରାଜ୍ୟର ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଖୁସିର ଲହରୀ ଖେଳି ଯାଇଛି ।
ସରକାରଙ୍କର ଏ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ସରକାରୀ ହାଇସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ଶିକ୍ଷାବର୍ଷ ଠାରୁ ରାଜ୍ୟରେ ଥିବା ଡାକ୍ତରୀ, ଇଂଜିନିୟରିଂ ପରି ଉଚ୍ଚଶିକ୍ଷା ଅନୁଷ୍ଠାନରେ ସଂରକ୍ଷଣ ସୁବିଧା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ନିଷ୍ପତ୍ତି ନେଇ ତାକୁ ଆଜି ରାଜ୍ୟ କ୍ୟାବିନେଟରେ ଏକ ସଂକଳ୍ପ ଭାବେ ଗୃହୀତ କରାଇଛନ୍ତି ତାହା ବାସ୍ତବିକ ଐତିହାସିକ ଏହାକୁ ରାଜ୍ୟର ସବୁ ମହଲରୁ ସ୍ବାଗତ କରାଯାଉଛି।
ବିଜେଡି ରାଜ୍ୟ ପରିଷଦ ବୈଠକରେ ଏନେଇ ପ୍ରସ୍ତାବ ଆସିଥିଲା । ପ୍ରସ୍ତାବକୁ ସପ୍ତାହକ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରିଛନ୍ତି ।
cm naveen patnaik keeps promises seat reservation for govt school students