‘ମୋ କଲେଜ’ ଅଭିଯାନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ପ୍ରତି କଲେଜ୍‌କୁ ୫୦ ହଜାର ଟଙ୍କା ଦେବେ ରାଜ୍ୟ ସରକାର

ପୁରାତନ ଛାତ୍ରଙ୍କୁ କଲେଜ ସହ ଯୋଡିବାକୁ ଆରମ୍ଭ ହେଲା ନୂଆ ପ୍ରୟାସ; ‘ମୋ କଲେଜ’ ଅଭିଯାନ ଆରମ୍ଭ

ଭୁବନେଶ୍ୱର : ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ନେତୃତ୍ଵ ନେବାର ଦକ୍ଷତା ବୃଦ୍ଧି କରିବା ପୁରାତନ ଛାତ୍ରଛାତ୍ରୀଙ୍କୁ ପୁଣି ନିଜ କଲେଜ ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ମୋ କଲେଜ ଅଭିଯାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଏହି ଅଭିଯାନର ଶୁଭାରମ୍ଭ କରିଥିବା ବେଳେ ବିଭିନ୍ନ କଲେଜରେ ଛାତ୍ରଛାତ୍ରୀ ଏଥିରେ ଯୋଡ଼ି ହୋଇଥିଲେ।
‘ମୋ କଲେଜ’ ଅଭିଯାନର ଶୁଭାରମ୍ଭ କରିବା ସହ ପୋର୍ଟାଲ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ‘ମୋ କଲେଜ’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ‘ମୋ କଲେଜ’ ଅଭିଯାନରେ ରାଜ୍ୟର ସମସ୍ତ କଲେଜ ସହ ବିଶ୍ୱବିଦ୍ୟାଳୟ ସାମିଲ୍ ହୋଇଛି । ପାଖାପାଖି ୭୫୫ଟି ଶିକ୍ଷାନୁଷ୍ଠାନକୁ ‘ମୋ କଲେଜ’ ଅଭିଯାନରେ ଯୋଡ଼ା ଯାଇଛି । ‘ମୋ ସ୍କୁଲ୍’ ଭଳି ‘ମୋ କଲେଜ’ ଅଭିଯାନ ମାଧ୍ୟମରେ ପୁରାତନ ଛାତ୍ରଛାତ୍ରୀ ସହାୟତା ଦେଇପାରିବେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି- ‘ମୋ କଲେଜ’ ଅଭିଯାନ ଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରେ ଥିବା ବ୍ୟକ୍ତିବିଶେଷ କଲେଜ ସହ ଯୋଡ଼ି ହୋଇପାରିବେ । ‘ମୋ ସ୍କୁଲ’ ଭଳି ‘ମୋ କଲେଜ’ ଅଭିଯାନ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଏହି ଅଭିଯାନ କେବଳ କଲେଜ ଆଲୁମିନା ମଧ୍ୟରେ ସୀମିତ ନୁହେଁ ବରଂ ଏହା ସମସ୍ତଙ୍କ ଲାଗି ଉନ୍ମୁକ୍ତ । ଯେ କେହିବି ଚାହିଁଲେ ଯେ କୌଣସି ଶିକ୍ଷାନୁଷ୍ଠାନ ଲାଗି ଅର୍ଥ ଦେଇପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

cm naveen patnaik inaugurated mo college abhiyan campaign
ଉଚ୍ଚଶିକ୍ଷା କ୍ଷେତ୍ରରେ ସରକାର ଅନେକ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି । ‘ମୋ କଲେଜ’ ଅଭିଯାନ ମାଧ୍ୟମରେ ଆପଣଙ୍କ ସହଯୋଗ ଆପଣ ପଢ଼ିଥିବା କଲେଜକୁ ଆଉ ଏକ ପାଦ ଆଗକୁ ଆଗେଇ ନେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସରକାର ପ୍ରତି ଶିକ୍ଷାନୁଷ୍ଠାନକୁ ପ୍ରତିବର୍ଷ ୫୦ ହଜାର ଟଙ୍କା ‘ମୋ କଲେଜ’ ଅଭିଯାନ ପାଇଁ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।କଲେଜ ଉନ୍ନତିକରଣ ପାଇଁ ବ୍ୟକ୍ତିବିଶେଷ ଦେଉଥିବା ଅନୁଦାନର ଦୁଇଗୁଣ ଅର୍ଥ ‘ମୋ କଲେଜ’ ଅଭିଯାନର ସ୍ଥାୟୀ ପାଣ୍ଠିରୁ ଯୋଗାଇ ଦେବେ । ‘ମୋ କଲେଜ’ ଅଭିଯାନ ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ ଓ ଉତ୍ସାହ ବଢ଼ାଇବା ସହ ଉଚ୍ଚରୁ ଉଚ୍ଚତମ ଶିଖର ଆହୋରଣ ଲାଗି ସାହାଯ୍ୟ କରିବ ବୋଲି ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସ ନାୟକ କହିଛନ୍ତି । ପୁରାତନ ଛାତ୍ରଛାତ୍ରୀ ଏହି ଅଭିଯାନରେ ସାମିଲ୍ ହେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।
୫୧ଟି ସରକାରୀ ମହାବିଦ୍ୟାଳୟ, ୫୫୮ଟି ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୩ଟି ବିଶ୍ୱବିଦ୍ୟାଳୟ, ସଂସ୍କୃତି ବିଭାଗରେ ଥିବା ଗୋଟିଏ ବିଶ୍ୱବିଦ୍ୟାଳୟ ଭଳି ୭୫୫ଟି ଶିକ୍ଷାନୁଷ୍ଠାନ ‘ମୋ କଲେଜ’ ଅଭିଯାନରେ ସାମିଲ୍ କରାଯାଇଛି । ଏହାର ସୁପରିଚାଳନା ଲାଗି ଏକ କମିଟି ଗଠନ କରିଛନ୍ତି ସରକାର । ମିଳିଥିବା ଅନୁଦାନ କଲେଜର ଛାତ୍ରଛାତ୍ରୀଙ୍କ ଲାଗି ବ୍ୟୟ କରାଯିବ ।

cm naveen patnaik inaugurated mo college abhiyan campaign