ପ୍ରଧାନମନ୍ତ୍ରୀଙ୍କ ବୈଠକରେ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ‌ ‘ଲକ୍‌ଡାଉନ୍ ଯୁଗକୁ ଫେରିବା ସମ୍ଭବ ନୁହେଁ’

ଭୁବନେଶ୍ଵର : ଦେଶର ଅନେକ ରାଜ୍ୟରେ ପୁଣି ଥରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। ଏହା ଫଳରେ କରୋନା ଲହରର ଦ୍ଵିତୀୟ ଆଶଙ୍କା ଦେଖା ଦେଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କରୋନା ମୁକାବିଲା ଏବଂ ଟିକାକରଣ ଉପରେ ଆଲୋଚନା କରିଛନ୍ତି। ଏଥିରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେଇଥିଲେ। ଓଡିଶା ଆଉ ଲକ୍‌ଡାଉନ୍‌କୁ ଫେରି ପାରିବ ନାହିଁ ବୋଲି ବୈଠକରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଆମେ ଆଉ ଲକ୍‌ଡାଉନକୁ ଫେରିବୁନି। ଲୋକଙ୍କୁ ସଚେତନ କରାଇ ସଂକ୍ରମଣ ରୋକିବା ଦିଗରେ ଗୁରୁତ୍ଵ ଦିଆଯିବ। ବର୍ଷ ହେଲା ଓଡିଶାବାସୀ ଏହାର ମୁକାବିଲା କରି ବ୍ୟତିବ୍ୟସ୍ତ ହେଲେଣି। ତେଣୁ ଆମେ ଆଉ ଲକ୍‌ଡାଉନ୍‌ ସମୟକୁ ଫେରିବୁନି। କରୋନା ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ଶ୍ରେୟ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତିବର୍ଷ ବନ୍ୟା-ବାତ୍ୟା ଭଳି ଦୁର୍ବିପାକ ଭୋଗୁଥିବାରୁ ଆମ ପ୍ରଶାସନ କରୋନାର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଥିଲା। କୋଭିଡ୍ ଭଳି ଯେ କୌଣସି ବିପର୍ଯ୍ୟୟର ମୁକାବିଲା ପାଇଁ ଆମେ ପ୍ରସ୍ତୁତ। ଓଡିଶାବାସୀଙ୍କ ସହଯୋଗ ପାଇଁ ଆମେ କରୋନାକୁ ନିୟନ୍ତ୍ରଣ କରି ପାରିଥିବା ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। କିନ୍ତୁ ଆମକୁ କରୋନାର ଦ୍ଵିତୀୟ ଲହର ପାଇଁ ପ୍ରସ୍ତୁତ ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଟିକାକରଣକୁ ଅଧିକ ଜୋରଦାର କରିବା ଲାଗି ଘରୋଇ କ୍ଷେତ୍ରକୁ ଏଥିରେ ସାମିଲ କରିବାର ଆବଶ୍ୟକତା ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଅନେକ ଦେଶ ତଥା ଭାରତର କିଛି ରାଜ୍ୟରେ କରୋନା ପୁଣି ଥରେ ମୁଣ୍ଡ ଟେକୁଥିବାରୁ ଆମକୁ ସତର୍କ ରହିବାକୁ ପଡ଼ିବ । ଲକଡାଉନ ଯୁଗକୁ ଆମେ ପୁଣିଥରେ ଫେରିବା ସମ୍ଭବ ନୁହେଁ । ଏହା ସହିତ ଭୂତାଣୁ ସଂକ୍ରମଣକୁ ଯେପରି ରୋକାଯିବ, ସେନେଇ କଡ଼ା ପଦକ୍ଷେପ ନେବାକୁ ପଡ଼ିବ । ବିଶାଳ ଜନସଂଖ୍ୟା କାରଣରୁ ହାର୍ଡ ଇମ୍ୟୁନିଟି ପାଇଁ ଅଧିକ ସମୟ ଲାଗିବ । ତେଣୁ ଆମକୁ ଅଧିକ ସତର୍କ ରହିବାକୁ ପଡିବ । ଆମେ କୋଭିଡ୍ ବିରୋଧରେ କେନ୍ଦ୍ର ସରକାରଙ୍କୁ ସବୁ ପ୍ରକାର ସହଯୋଗ ଜାରି ରଖିବୁ ।

cm naveen patnaik discuss with pm narendra modi through vc on-covid -19 situation