ଭୁବନେଶ୍ୱ: ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଅକାଶ ବିୟୋଗ ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି । ଦିଲ୍ଲୀ ଏମ୍ସରେ ସୁଷମା ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ବ୍ୟକ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ‘‘ସୁଷମା ଜଣେ ସମ୍ମାନନୀୟା, ସୁଦକ୍ଷା ନେତ୍ରୀ ଥିଲେ, ସାଧାରଣ ଲୋକଙ୍କ ସମସ୍ୟା ଦୂର କରିବାରେ ତାଙ୍କର ଦକ୍ଷତା ସ୍ମରଣୀୟ, ସୁଷମାଙ୍କ ପରଲୋକ ଭାରତୀୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି ହୋଇଛି । ’’
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁଷମାଙ୍କ ବିୟୋଗକୁ ବିଶ୍ୱାସ କରି ପାରୁ ନାହାଁନ୍ତି ବୋଲି କହିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ‘‘ସୁଷମା ସ୍ୱରାଜ ଲୌହ ଭଳି କଠିନ ଓ ମା’ ଭଳି କୋମଳ ଥିଲେ । ସୁଷମା ନାରୀ ଶକ୍ତିର ପ୍ରତୀକ ଥିଲେ । ବିଶ୍ୱ ସ୍ତରରେ ସେ ଭାରତର ସ୍ୱରକୁ ଦୃଢ ଭାବେ ଉପସ୍ଥାପନ କରି ପାରୁଥିଲେ ।’’ ‘‘ସୁଷମା ସ୍ୱରାଜ ବଡ଼ ଭଉଣୀ ଭଳି ଥିଲେ । ସୁଷମା ମହାନ ରାଷ୍ଟ୍ରନେତା ଥିଲେ। ତାଙ୍କ ପରଲୋକରେ ଦେଶ ସମେତ ମୋର ମଧ୍ୟ ଅପୂରଣୀୟ କ୍ଷତି ହୋଇଛି। ତାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଖାଲି ସ୍ଥାନ କେବେବି ପୂରଣ ହୋଇପାରିବ ନାହିଁ ।’’
ସେହିପରି ବୈଜୟନ୍ତ ଟ୍ୱିଟ୍ କରି କହିଛନ୍ତି, ‘‘ମୁଁ ସୁଷମାଙ୍କ ବିୟୋଗରେ ଗଭୀର ଦୁଃଖିତ, ମର୍ମାହତ । କୋଟି କୋଟି ଲୋକଙ୍କ ପାଇଁ ସୁଷମା ଥିଲେ ଆଇକନ୍ ଓ ରୋଲ ମଡେଲ। ତାଙ୍କ ପରି ମହାନ୍ ରାଜନେତାଙ୍କଠାରୁ ବହୁତ କିଛି ଶିଖିବାକୁ ପାଇଛି ।’’