ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାକ୍ଷାତ ସମୟରେ ଉଭୟ ନେତା ଉଭୟଙ୍କୁ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିଥିବା ଦୃଷ୍ଟିରୁ ଶୁଭେଚ୍ଛା ଜଣେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ସହ ଓଡ଼ିଶା କିଭଳି ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛି ସେ ବିଷୟରେ ଅବଗତ କରାଇଥିଲେ। ୧୯୦୦ରୁ ୨୦୧୯ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ବର୍ଷ ଓଡିଶା ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକର ପ୍ରଭାବ ଯୋଗୁ କ୍ଷତିଗ୍ରସ୍ତ ହେଉଛି।
ପ୍ରାକୃତିକ ଦୁର୍ବିପାକକୁ ମାର୍ଗଦର୍ଶିକା ଭାବେ ଗ୍ରହଣ କରି ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରାଗଲେ ତାହା ରାଜ୍ୟର ବିକାଶ ଦିଗରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ କେନ୍ଦ୍ର ରାଜ୍ୟ ୯୦/୧୦ ଅନୁପାତରେ ଆର୍ଥିକ ସହଯୋଗ କରିବାକୁ ମଧ୍ୟ ନବୀନ ପ୍ରସ୍ତାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟକୁ ‘ସ୍ୱତନ୍ତ୍ର ଫୋକସ ରାଜ୍ୟ’ ଘୋଷଣା କରି ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଫଳରେ ବିତ୍ପାତ ପରେ ପୁନର୍ଗଠନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇ ପାରିବ ଏବଂ କେବଳ ଓଡିଶା ନୁହେଁ ବରଂ ଦୁର୍ବିପାକ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ରାଜ୍ୟଗୁଡିକ ଲାଭବାନ ହୋଇପାରିବେ।