୩୫ଟି ପ୍ରକଳ୍ପର ଉଦଘାଟନ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର କଟକ ଜିଲ୍ଲାରେ ୩୫ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହି ପ୍ରକଳ୍ପ ଗୁଡ଼ିକ ପାଇଁ ୨୭୦ କୋଟି ଟଙ୍କା ବିନିଯୋଗ ହୋଇଛି। ଐତିହାସିକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ କାର‌୍ୟ୍ୟକ୍ରମରେ ନବୀନ ୫୨୬ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ୨୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି। ବିଜୁ ଯୁବ ବାହିନୀ ସମାବେଶରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ବସୁଧା ଯୋଜନାରେ ଟାଙ୍ଗୀ ଚୌଦ୍ୱାର ବ୍ଲକର କୁଜିବର ଠାରେ ନିର୍ମିତ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ନବୀନ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୩୦ ଶଯ୍ୟା ବିଶିଷ୍ଟ ମା’ ଓ ଶିଶୁ ଚିକିତ୍ସାକେନ୍ଦ୍ର, ଟାଙ୍ଗୀ-ଚୌଦ୍ୱାର ଓ ସାଲେପୁର ବ୍ଲକର ୩ଟି ସଡ଼କ ପ୍ରକଳ୍ପ, ନିଶ୍ଚିତକୋଇଲି ଓ କଟକ ସଦର ବ୍ଲକର ୨ଟି ସଡ଼କ ନିର୍ମାଣ ପ୍ରକଳ୍ପ, ନିଶ୍ଚିତକୋଇଲି ବ୍ଲକର ୩ଟି ଏବଂ ନିଆଳୀ ଓ କଣ୍ଟାପଡ଼ା ବ୍ଲକର ୨ଟି ସଡ଼କ ପ୍ରକଳ୍ପ, ଉନ୍ନତିିକୃତ କଟକ ମହାନଗର ନିଗମର ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି। ସେହିପରି ଆଠଗଡ଼ ଉପଖଣ୍ଡର ୬ଟି ସଡ଼କ ପ୍ରକଳ୍ପ, ବାଙ୍କୀ ଉପଖଣ୍ଡର ୪ଟି ସଡ଼କ ପ୍ରକଳ୍ପ, ଉନ୍ନତିକୃତ ଜଗତପୁର ଛକ-ସାଲେପୁର ରାସ୍ତା, କଟକ-ତୁଳସୀପୁର ତଅଁଳା ସାହିରେ ୨୬୪ ବସ୍ତିବାସିନ୍ଦା ପରିବାରଙ୍କ ଥଇଥାନ ପାଇଁ ନିର୍ମିତ ପକାଘର, କଟକ ମହାନଗର ନିଗମର ଚାଉଳିଆଗଞ୍ଜ ଠାରେ ଶୀକୁଞ୍ଜବିହାରୀ ଜିଉ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟର ୩୦୦ ସିଟ୍‌ ବିଶିଷ୍ଟ ଛାତ୍ରୀନିବାସ, ଶ୍ରୀରାମଚନ୍ଦ୍ର ଭଂଜ ଭେଷଜ ମହାବିଦ୍ୟାଳୟର ଜଳ ବିଶୋଧନାଗାର ଆଦି ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି।