ସମ୍ଭାବ୍ୟ ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର: ସମ୍ଭାବ୍ୟ  ପଙ୍ଗପାଳ ଆକ୍ରମଣର ମୁକାବିଲା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଥିବା ଜଣାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ବୈଠକ ପରେ ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଠ ସୂଚନା ଦେଇ କହିଛନ୍ତି ପଙ୍ଗପାଳ ଓଡ଼ିଶା ଆସିବାର ସମ୍ଭାବନା ରହିଛି । ଆମେ ଏଥିପାଇଁ ପୂରା ପ୍ରସ୍ତୁତ ରହିଛୁ । ତେଲେଙ୍ଗାନା, ଆନ୍ଧ୍ର, ବିହାର, ଛତିଶଗଡ଼ ଉପରେ ନଜର ରଖାଯାଇଥିବା ସେ କହିଛନ୍ତି।

ଏଥିଲାଗି ଉପରୋକ୍ତ ୪ଟି ରାଜ୍ୟର ନିକଟବର୍ତ୍ତୀ ସୁନ୍ଦରଗଡ଼, ମାଲକାନଗିରି, ନୂଆପଡ଼ା ଆଦି ସମେତ ଅନ୍ୟ ଜିଲ୍ଲାଗୁଡ଼ିକୁ ଆଲର୍ଟରେ ରଖାଯାଇଛି । ୫୦ ଲକ୍ଷ ଚାଷୀଙ୍କୁ ସଚେତନ କରାଯାଇଛି । ଜିଲ୍ଲାପାଳ ଓ କୃଷି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଜଙ୍ଗଲ, କୃଷି, ଅଗ୍ନିଶମ ଓ ଉଦ୍ୟାନ କୃଷି  ବିଭାଗର  ମିଳିତ ଉଦ୍ୟମରେ ମୁକାବିଲା କରାଯିବା ଲାଗି ଯୋଜନା କରାଯାଇଛି ବୋଲି ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଠ ସୂଚନା ଦେଇଛନ୍ତି। କେମିକାଲ ସହ ବଡ଼ ବଡ଼ ସ୍ପ୍ରେ ମେସିନ ପ୍ରସ୍ତୁତ କରି ରଖାଯାଇଛି ବୋଲି ସେ କହିଛନ୍ତି।