ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଓଡିଶାର ଦାବି ସଂପର୍କରେ ଚିଠି ଲେଖିଛନ୍ତି

ରବିବାର ଅନୁଷ୍ଠିତ ହୋଇଥିବା ନୀତି ଆୟୋଗ ଗଭର୍ଣ୍ଣିଙ୍ଗ କାଉନସିଲ୍ ବୈଠକରେ ଯୋଗ ଦେଇପାରିନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଓଡିଶାର ଦାବି ସଂପର୍କରେ ଚିଠି ଲେଖିଛନ୍ତି । ପ୍ରଥମରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ନବୀନ । ରାଜ୍ୟର ଜନସଂଖ୍ୟାର ଏକ ବଡ଼ ଭାଗ ତଫସିଲ ଭୁକ୍ତ ଜନଜାତି ଓ ଜାତିର ହୋଇଥିବା ବେଳେ ରାଜ୍ୟ ବାରମ୍ବାର ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଛି । ଓଡ଼ିଶାକୁ ଏ ଦୃଷ୍ଟିରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ଯୁକ୍ତିଯୁକ୍ତ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି। ଦ୍ୱିତୀୟରେ ରାଜ୍ୟର କୃଷିକ୍ଷେତ୍ରରେ ସଂସ୍କାର ଆଣିବା ଏବଂ ଚାଷୀର ଆୟ ଦୁଇଗୁଣା କରିବା ବାବଦରେ ପଦକ୍ଷେପ ନେବାକୁ ନବୀନ ଲେଖିଛନ୍ତି । ଏଥିପାଇଁ ସର୍ବନିମ୍ନ ସହାୟକ ମୂଲ୍ୟର ବୃଦ୍ଧି ଉପରେ ନବୀନ ଗୁରୁତ୍ୱ ଦେଇଛନ୍ତି । ବଜେଟରେ କେନ୍ଦ୍ର ସରକାର ପ୍ରତ୍ୟକ ଫସଲର ଏମଏସପି ଦେଢ଼ଗୁଣା କରିବା ଲାଗି ଘୋଷଣା କରିଥିଲେ । ସେହିପରି ରାଜ୍ୟର ଚାଷୀମାନେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛନ୍ତି। ଏଣୁ ଏସବୁଥିରୁ ଚାଷୀଙ୍କୁ ଉଦ୍ଧାର କରିବା ଲାଗି ଋଣ ଛାଡ଼ ନେଇ ଏକ ଜାତୀୟ ନୀତି ରଖିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ସେହପରି ଚାଷୀଙ୍କୁ ସୁବିଧାରେ ଋଣ ଯୋଗାଇ ଦେବା ଉଦ୍ଦେଶ୍ୟରେ କୃଷି ପାଇଁ କ୍ରେଡିଟ ଗ୍ୟାରେଣ୍ଟି ଟ୍ରଷ୍ଟ ଗଠନ କରିବା ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ଟ୍ରଷ୍ଟର ଗ୍ୟାରେଣ୍ଟି ମାଧ୍ୟମରେ ଚାଷୀମାନେ ୨ ଲକ୍ଷରୁ ୫୦ ଲକ୍ଷ ପର୍ଯ୍ୟନ୍ତ ଋଣ ପାଇପାରିବେ। ସେହିପରି କେନ୍ଦ୍ର ପ୍ରଣୟନ କରିଥିବା ଆୟୁଷ୍ମାନ ଭାରତ ଯୋଜନା ଏସଇସିସି ସର୍ଭେ ଅନୁଯାୟୀ ପ୍ରଣୟନ ହେଉଥିବାରୁ ଏଥିରେ ରାଜ୍ୟର ୪୦ ଲକ୍ଷ ବାଦ ପଡ଼ିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସାମିଲ କରାଯାଇପାରୁଥିବା ଏକ ସ୍ବାସ୍ଥ୍ୟ ସେବା ଯୋଜନା ରାଜ୍ୟ ସରକାର ଆରମ୍ଭ କରିଛନ୍ତି। ତେବେ ରାଜ୍ୟର ପ୍ରସଙ୍ଗକୁ ଗୁରୁତ୍ବ ଦିଆଗଲେ ଓଡ଼ିଶା ମଧ୍ୟ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅନୁଯାୟୀ ଆୟୁଷ୍ମାନ ଭାରତରେ ସାମିଲ ହେବାକୁ କୁଣ୍ଠା ପ୍ରକାଶ କରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି।