୭୫୦ ଶଯ୍ୟା ବିଶିଷ୍ଟ ଶ୍ରୀଶଙ୍କର କ୍ୟାନସର ଆଣ୍ଡ ରିସର୍ଚ୍ଚ ସେଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଗଚୀ-କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ଏବଂ ବାଗଚୀ-ଶ୍ରୀ ଶଙ୍କର କର୍କଟ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ଅନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଏହି ଦୁଇଟି ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଅନୁଷ୍ଠାନ ।

ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଇନ୍‌ଫୋଭ୍ୟାଲି ଚଣ୍ଡିହଦା ନିକଟରେ କ୍ୟାନସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ । ୪୦ ଏକର ଜାଗାରେ ନିର୍ମାଣ ହେବ ୭୫୦ ଶଯ୍ୟା ବିଶିଷ୍ଟ ଶ୍ରୀଶଙ୍କର କ୍ୟାନସର ଆଣ୍ଡ ରିସର୍ଚ୍ଚ ସେଣ୍ଟର ଏବଂ ବାଗଚୀ କରୁଣାଶ୍ରୟ କେନ୍ଦ୍ର । ୨ ବର୍ଷ ଭିତରେ ଏହା ନିର୍ମାଣ ପାଇଁ ଲକ୍ଷ୍ୟ ରାଜ୍ୟ ସରକାର ରଖିଛନ୍ତି । ଯାହା ଆଗାମୀ ଦିନରେ ଏକ ଷ୍ଟେଟ ଅଫ ଆର୍ଟରେ ପରିଣତ ହେବ ବୋଲି ନବୀନ ଆଶା କରିଛନ୍ତି ।

cm lays foundation stone of two cancer care institutes in bhubaneswar

କ୍ୟାନସର ହସ୍ପିଟାଲରେ ୭୫୦ ବେଡ୍ ରହିବ । ଏହା ଲୋକଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବାରେ ମହତ୍ତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ । ସେପଟେ ୧୧୦ ବେଡ୍ ବିଶିଷ୍ଟ ହେବ ପାଲିଏଟିଭ କେୟାର ସେଣ୍ଟର । ପାଲିଏଟିଭ ସେଣ୍ଟରରେ ଗରିବ ଲୋକମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ମିଳିବ । ଏହି ସେଣ୍ଟରରେ ରହିବ ଶରୀର ଯନ୍ତ୍ରଣା ଉପଶମ ଲାଗି ଅତ୍ୟାଧୁନିକ ଯନ୍ତ୍ରପାତି ।

ଉଭୟ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ୩୪୦ କୋଟି ଟଙ୍କାର ସାହାଯ୍ୟ କରିବେ ସୁବ୍ରତ ବାଗଚୀ ଏବଂ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀ । ଏହି ଆର୍ଥିକ ସହଯୋଗ ଲାଗି ବାଗଚୀ ଦମ୍ପତ୍ତିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

cm lays foundation stone of two cancer care institutes in bhubaneswar