୨୦୧୯-୨୦ ପାଇଁ ଲାପଟପ୍ ବଂଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୨୦୧୯-୨୦ ବର୍ଷ ପାଇଁ ଲାପଟପ୍ ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ୧୦ ଜଣ ଯୁକ୍ତ ଦୁଇର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

ଏହି ଅବସରରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ଶାଶ୍ୱତ ମିଶ୍ର ସୂଚନା ଦେଈ କହିଥିଲେ, ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୫ ହଜାର ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଂଟନ କରାଯିବ । ଏଥିରୁ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ୫୫୦୯ ଜଣ ଓ ସାଧାରଣ ବର୍ଗର ୯୪୯୧ ଜଣ ଛାତ୍ରଛାତ୍ରୀ ଅଛନ୍ତି ।

ସୂଚନାଯୋଗ୍ୟ, ବିଜୁ ସଶକ୍ତିକରଣ ଯୋଜନାରେ ଯୁକ୍ତ ଦୁଇର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ୨୦୧୩ ମସିହାଠାରୁ ମାଗଣାରେ ଲାପଟପ୍ ବଂଟନ କରାଯାଉଛି । ବର୍ତମାନ ସୁଦ୍ଧା ସମୁଦାୟ ୯୦,୨୦୩ ଜାଣ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଂଟନ କରାଯାଇଛି । ଚଳିତ ବର୍ଷ ଏଥିପାଇଁ ଚୟନ ପ୍ରକ୍ରିୟାରେ ବ୍ୟାପକ ପରିବର୍ତନ କରାଯାଇ ରାଜ୍ୟସ୍ତରୀୟ ମେଧା କାଲିକା ପରିବର୍ତେ ଜିଲ୍ଲାସ୍ତରୀୟ ମେଧା ତାଲିକା ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା ରାଜ୍ୟର ସମସ୍ତ ୩୦ ଜିଲ୍ଲାର ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇପାରିଛନ୍ତି । ଚଳିତ ବର୍ଷ ଓସିଏସି ମାଧ୍ୟମରେ ଲାପଟପ୍ ସଂଗ୍ରହ କରାଯାଇ ୩୦ଟି ନୋଡାଲ ସେଂଟରକୁ ବଂଟନ ପାଇଁ ପଠାଯାଇଛି ।

ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ ସାହୁ, ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସ ନାୟକ, ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଉପଦେଷ୍ଟା ଶ୍ରୀ ଆର.ବାଲକ୍ରିଷ୍ଣନ ଏବଂ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।