ଭିଡିଓ କନଫରେନସିଙ୍ଗ୍ ଜରିଆରେ ୬୫୦ ଶଯ୍ୟାବିଶିଷ୍ଟ କୋଭିଡ୍ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍-୧୯ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଓ କଟକ ସହରରେ ୬୫୦ ଶଯ୍ୟାବିଶିଷ୍ଟ ଦୁଇଟି  କୋଭିଡ୍ ହସ୍ପିଟାଲ କୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଙ୍ଗ୍ ଜରିଆରେ ଆଜି ଉଦଘାଟନ କରିଛନ୍ତି ।

୫୦୦ ଶଯ୍ୟାବିଶିଷ୍ଟ ପ୍ରଥମ ହସ୍ପିଟାଲଟି ଭୁବନେଶ୍ୱରର “କିମସ୍’ରେ ପ୍ରସ୍ତୁତ କରାଯାଇଛି । ୧୫୦ ଶଯ୍ୟାବିଶିଷ୍ଟ ଦ୍ୱିତୀୟ ହସ୍ପିଟାଲ ଟି କଟକର “ଅଶ୍ୱିନୀ ହସ୍ପିଟାଲ’ରେ ପ୍ରସ୍ତୁତ ହୋଇଛି । ଉଭୟ  ଲାଗି ଅର୍ଥ ଯୋଗାଇଛି ଓଡିଶା ଖଣି ନିଗମ । ଏହି ଡାକ୍ତରଖାନା ନିମନ୍ତେ ସହଯୋଗ ଏବଂ ତ୍ୱରିତ ପ୍ରସ୍ତୁତି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ “କିମସ୍’ ଏବଂ “ଅଶ୍ୱିନୀ    ହସ୍ପିଟାଲ’ର ପରିଚାଳନା କମିଟିକୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଡାକ୍ତର ଏବଂ ପାରାମେଡିକମାନଙ୍କ ସହ ବାର୍ତାଳାପ କରିବା ସହ କରୋନାଭାଇରସ୍ ଲଢ଼େଇରେ ସେମାନଙ୍କ ପ୍ରତିବଦ୍ଧତା ଏବଂ ମହତ୍ ସେବାକୁ ଉଚ୍ଚ ପ୍ରଶଂସା କରିଥିଲେ ।

ପ୍ରକାଶଯୋଗ୍ୟ, ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଉପରୋକ୍ତ ଦୁଇଟି ହସପିଟାଲ୍ ପ୍ରସ୍ତୁତ କରାଯାଇଛି । ଏହି ଡାକ୍ତରଖାନାରେ କୋଭିଡ୍-୧୯ ଆକ୍ରାନ୍ତ ରୋଗୀମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ବ୍ୟବସ୍ଥା ଥିଲେ ମଧ୍ୟ ସାମାଜିକ ଦୂରତ୍ୱ, ହସ୍ତ ପ୍ରକ୍ଷାଳନ ଏବଂ ଲକଡାଉନ୍ ମାର୍ଗଦର୍ଶିକା ପାଳନ କରି ଆମେ ଏ ଲଢ଼େଇ ଜିଣିପାରିବା ବୋଲି ମୁଖ୍ୟମନ୍ତ୍ରୀ ଗୁରତ୍ୱାରୋପ କରି କହିଛନ୍ତି ।

ଏହି ଡାକ୍ତରଖାନାରେ ସମସ୍ତ କୋଭିଡ୍-୧୯ ରୋଗୀମାନଙ୍କ ଚିକିତ୍ସା, ଖାଦ୍ୟ ଏବଂ ରହଣି ମାଗଣା ବୋଲି ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ ।