୧୫ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ହେବ ପୂର୍ବ ଭାରତର ଶିଳ୍ପ ହବ୍ । ୨୦୨୫ ସୁଦ୍ଧା ରାଜ୍ୟରେ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସହିତ ୩୦ ଲକ୍ଷ ନିଯୁକ୍ତି ସୃଷ୍ଟିର ଲକ୍ଷ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଅଧିକ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଭିଜନ-୨୦୨୫ । ଆଜି ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ୧୫ଟି ଶିଳ୍ପ ପ୍ରତିଷ୍ଠାନର ଶିଳାନ୍ୟାସ କରିଛନ୍ତି । ଏହି ୧୫ଟି ପ୍ରକଳ୍ପରେ ପ୍ରାୟ ୧୮୦୮ କୋଟି ଟଙ୍କା ନିବେଶ ହେବ । ଏଥିରେ ୯ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ସିମେଣ୍ଟ ପ୍ରକଳ୍ପ ସ୍ଥାପନ ହେବ ।

ଏଥିରେ ୯୮୬ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ଏବଂ ୧୩୦୫ ଜଣଙ୍କ ନିଯୁକ୍ତି ପାଇବେ । ସେହିପରି ଭଦ୍ରକ ଜିଲ୍ଲା ଧାମରାରେ ଶିଳ୍ପ ପାର୍କ ପ୍ରତିଷ୍ଠା କରାଯିବ । ଏହି ପ୍ରକଳ୍ପରେ ୩୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ଏବଂ ୩ ହଜାର ନିଯୁକ୍ତି ପାଇବେ । ଖାଦ୍ୟ ପ୍ରକ୍ରିୟା କରଣ ପ୍ରକଳ୍ପ ଖୋର୍ଦ୍ଧା ଜିଲ୍ଲାର ଡେରାସ୍, ଛତାବର ଆଦି ସ୍ଥାନରେ ସ୍ଥାପନ ହେବ । ଏହାସହ ଏହି ପ୍ରକଳ୍ପ ଢେଙ୍କାନାଳ, ନବରଙ୍ଗପୁର ଆଦି ଜିଲ୍ଲାମାନଙ୍କରେ ମଧ୍ୟ ସ୍ଥାପନ କରାଯିବ । ଏଥିରେ ୩୭୩ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ଏବଂ ୩୩୦୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ପାଇବେ । ବାଲେଶ୍ୱର ଜିଲ୍ଲାର ଖାନ୍ନଗରରେ ପ୍ଲାଷ୍ଟିକ ପ୍ରକଳ୍ପ ସ୍ଥାପନ ହେବ । ଯାହାଦ୍ୱାରା ୨୦୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ରାଜ୍ୟ ସରକାରଙ୍କ ଭିଜନ-୨୦୨୫ରେ ରହିଛି ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶର ଓ ୩୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ । ଆସନ୍ତା ୧୧ ତାରିଖରୁ ରାଜ୍ୟ ସରକାରଙ୍କର ଚର୍ଚ୍ଚିତ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ ୨୦୧୮ର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ସେହି ଦୃଷ୍ଟିରୁ ଏହି ଶିଳ୍ପ ସମ୍ପ୍ରସାରଣ ଉଦ୍ୟମ କରାଯାଉଛି । ଉଦ୍ୟୋଗପତିଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବା ପାଇଁ ଚେନ୍ନାଇ, ମୁମ୍ବାଇ, ଦୀଲ୍ଲି ସମେତ ବିଦେଶରେ ରାଜ୍ୟ ସରକାର ରୋଡ୍ ଶୋ’ କରିଛନ୍ତି ।