ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ବିଜୁ ବାବୁଙ୍କ ଜୀବନୀ ଉପରେ ଲିଖିତ ‘ଡେୟାର ଡେଭିଲ ଡେମୋକ୍ରାଟ ‘ ନାମକ ଏକ ପୁସ୍ତକର ଉନ୍ମୋଚନ କରାଯାଇଛି । କଂଗ୍ରେସ ନେତା ନରସିଂହ ମିଶ୍ର, ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କଳିଙ୍ଗ ଫାଉଣ୍ଡେସନ ଦ୍ବାରା ଏହି ବହିଟି ପ୍ରସ୍ତୁତ କରାଯାଇଛି । ବିଜୁ ବାବୁଙ୍କ ସଂଗ୍ରାମ ଜୀବନର ଦୁଃସାହସିକ କାହାଣୀ ଉପରେ ଏହି ପୁସ୍ତକଟି ଲେଖାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଭାଷଣରେ ବାପା ବିଜୁବାବୁଙ୍କ ସଂଗ୍ରାମୀ ଜୀବନର ସ୍ମୃତିଚାରଣ କରିଥିଲେ । ରାଜ୍ୟର ବିକାଶ ତାଙ୍କର ପ୍ରଥମ ଏଜେଣ୍ଡା ଥିଲା । ଏହାଛଡ଼ା ସେ ଅନ୍ୟ କିଛି ଭାବୁ ନ ଥିଲେ । ଜୋର୍ ଗତିରେ କାମ କରି ଜଲଦି କାମ ହାସଲ କରିବା ବିଜୁବାବୁ ସବୁବେଳେ ଚାହୁଁଥିଲେ । ତେଣୁ ଓଡ଼ିଶାକୁ ଶୀର୍ଷରେ ଯେତେ ଶୀଘ୍ର ପାର୍ ପହଞ୍ଚାଇବାକୁ ତାଙ୍କର ଅନବରତ ଉଦ୍ୟମ ଥିଲା ବୋଲି ନବୀନ କହିଥିଲେ । ‘ଡେୟାରଡେଭିଲ୍ ଡେମୋକ୍ରାଟ୍’ ପୁସ୍ତକଟି ଶିଶୁମାନଙ୍କ ପାଇଁ ଶିକ୍ଷଣୀୟ ଓ ପ୍ରେରଣାଦାୟକ ହେବା ସହ ବିଜୁବାବୁଙ୍କ ସାହସିକତାର କାହାଣୀ ସେମାନଙ୍କୁ ମାତୃଭୂମିର ସେବା ପାଇଁ ଆକୃଷ୍ଟ କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଥିଲେ ।
ସ୍ୱସ୍ତି ପ୍ରିମିୟମ୍ ହୋଟେଲରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଏବଂ ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଟଲ୍ ମ୍ୟାନ୍ ବିଜୁ ବାବୁଙ୍କ ସହିତ ସେମାନଙ୍କ ଜୀବନର କିଛି ଅନୁଭୂତି ବାଣ୍ଟି ଥିଲେ ନରସିଂହ ମିଶ୍ର ଏବଂ କନକ ବର୍ଦ୍ଧନ ସିଂହଦେଓ ।
ପ୍ରାରମ୍ଭିକ ରାଜନୈତିକ ଜୀବନର ସଂଘର୍ଷ ବେଳେ ବିଜୁ ବାବୁ ତାଙ୍କୁ ଓଡ଼ିଶାରେ ପରିଚିତ କରାଇଥିବା ବିନା କୁଣ୍ଠାବୋଧରେ ସ୍ୱୀକାର କରିଥିଲେ କେଭି । ଏକ ଘଟଣାର ବର୍ଣ୍ଣନା କରି କେଭି କହିଥିଲେ, ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କୁ ନବୀନ ନିବାସ ଡକାଇ ସାଙ୍ଗରେ ବ୍ରେକଫାଷ୍ଟ କରିଥିଲେ ଏବଂ ପରେ ପରେ ପୁଲିସ ଲଗାଇ ଗିରଫ କରିଥିଲେ । ୨୧ ଦିନ ପରେ ଜେଲ୍ ରୁ ଫେରିଲା ପରେ ବିଜୁବାବୁଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ସେ ସିଧା ତାଙ୍କ ଅଫିସ୍ ଯାଇଥିଲେ । ବିଜୁବାବୁ ତାଙ୍କୁ ପିଠି ଥାପୁଡ଼େଇ କହିଥିଲେ କି ତମେ ଜେଲ୍ ଯାଇଥିବାରୁ ମତେ ଧନ୍ୟବାଦ ଦିଅ । କାରଣ ଏହାଦ୍ୱାରା ସାରା ଦେଶରେ ତମର ଯଥେଷ୍ଟ ପ୍ରଚାର ହେଲା । ରାଜନୀତିରେ ନାଁ କମେଇବାକୁ ତମକୁ ପରିଶ୍ରମ କରିବାକୁ ପଡ଼ିଲାନି । ବିଜୁବାବୁଙ୍କ ପାଟିରୁ ଏହି ଦୁଇପଦ କଥା ଶୁଣିବା ପରେ ତାଙ୍କ ରାଗ କୁଆଡେ ମିଳାଇ ଯାଇଥିଲା । ଓଲଟି ସମ୍ମାନ ବଢ଼ିଯାଇଥିଲା । ବିଜୁବାବୁଙ୍କୁ ସେଦିନ ଧନ୍ୟବାଦ ଦେଇ ଫେରିଥିଲି ବୋଲି କେଭି କହିଥିଲେ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଜୁବାବୁଙ୍କୁ ଜଣେ ପ୍ରକୃତ ଡେମୋକ୍ରୋଟ୍ ବୋଲି ବର୍ଣ୍ଣନା କରିଥିଲେ । ଜଣେ ଡେୟାରଡେଭିଲ୍ କେବେ ବି ଡେମୋକ୍ରାଟ୍ ହୋଇପାରେନା । ମାତ୍ର ବିଜୁବାବୁ ଏହାର ବ୍ୟତିକ୍ରମ ଥିଲେ । ଡେୟାରଡେଭିଲ୍ ଡେମୋକ୍ରୋଟ୍ ଭାବରେ ସେ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ସୁତରାଂ ବିଜୁବାବୁଙ୍କୁ ଏକଛତ୍ରବାଦୀ ବୋଲି କେହି କେହି ଯାହା କୁହନ୍ତି ତାହା ଆଦୌ ଠିକ୍ ନୁହେଁ ଏବଂ ତାଙ୍କ ଭଳି ଜଣେ ସଚ୍ଚା ଡେମୋକ୍ରାଟ୍ ଆଜିକାଲିକା ରାଜନୀତିରେ ବିରଳ ବୋଲି ତାଙ୍କର ଅନୁଭବ ହୋଇଥିବା ନରସିଂହ କହିଥିଲେ । ବିଜୁବାବୁଙ୍କ ସହ ତାଙ୍କର ରାଜନୈତିକ ଜୀବନର କିଛି କଥା ଅବତାରଣା କରିବା ବେଳେ ବିରୋଧୀଙ୍କ କଥାକୁ ସେ କିଭଳି ସମ୍ମାନ ଦିଅନ୍ତି ତାହା କହିଥିଲେ । ବିଜୁବାବୁଙ୍କ ଭଳି ଉଦାର ଓ ସହିଷ୍ଟୁ ବ୍ୟକ୍ତିତ୍ୱ ରାଜନୀତିରେ ବିରଳ ବୋଲି ନରସିଂହ କହିଥିଲେ ।
କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ ସଭାପତି ତଥା ବର୍ଷୀୟାନ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ବିଜୁବାବୁଙ୍କ ସହ ତାଙ୍କ ସମ୍ପର୍କର ସ୍ମୃତିଚାରଣ କରି ସେହି ମହାନ୍ ନେତାଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱର ଗୁଣଗାନ କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ ସ୍ୱାଗତ ଭାଷଣ ଦେଇଥିଲା ବେଳେ କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟର ସମ୍ପାଦକ ବିମଳ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।