କଳାହାଣ୍ଡିର ବିକାଶର କାହାଣୀ କହିବ ଇନ୍ଦ୍ରାବତୀ ମ୍ୟୁଜିଅମ୍ : ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ

କଳାହାଣ୍ଡି   : ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଳାହାଣ୍ଡିରେ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ। ଆଜି ୫୪ଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ବେଳେ, ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ମା’ ମାଣିକେଶ୍ୱରୀଙ୍କୁ ସ୍ମରଣ କଲେ । ରେଣ୍ଡୋ ମାଝିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । କଳାହାଣ୍ଡିର ମଙ୍ଗଳପୁର ମଞ୍ଚରେ ଖୋଲିଛନ୍ତି ରାଜ୍ୟ ସରକାରଙ୍କ ସଫଳ ଯୋଜନା ଭର୍ତ୍ତି ପେଡି । ଅତୀତର କଳାହାଣ୍ଡି ଏବଂ ଆଜିର କଳାହାଣ୍ଡି ବିଷୟରେ ବଖାଣିଛନ୍ତି ଗୌରାବନୀତ କାହାଣୀ । ସମ୍ବୋଧନ ଦେବା ଅବସରରେ ନବୀନ କହିଛନ୍ତି, ଭୋକର ଭୂଗୋଳରେ ପରିଚିତ କଳାହାଣ୍ଡି ଆଜି ଭାତ ହାଣ୍ଡିରେ ପରିଣତ ହୋଇଛି ।

କଳାହାଣ୍ଡିର ଏହି ରୂପାନ୍ତରର ସବୁ ଶ୍ରେୟ ଇନ୍ଦ୍ରବତୀ ନଦୀକୁ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ- ଇନ୍ଦ୍ରବାତୀ ଆମର ମା’ ଏବଂ କଳାହାଣ୍ଡିର ଜୀବନରେଖା । ସେ ତାର ପ୍ରତିଟି ଜଳବିନ୍ଦୁ ଦେଇ କଳାହାଣ୍ଡିକୁ ସମୃଦ୍ଧ କରିଛି । କଳାହାଣ୍ଡିବାସୀଙ୍କ ଦେହରେ ତାର ପାଣି ରକ୍ତ ହୋଇ ବୋହୁଛି । ମା’ ଇନ୍ଦ୍ରାବତୀର ଏହି ଅବଦାନକୁ ସମ୍ମାନ ଜଣାଇ ଏଠାରେ ଏକ ସଂଗ୍ରହାଳୟ ଓ ଉଦ୍ୟାନ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ମ୍ୟୁଜିଅମ୍ ସାରା ବିଶ୍ୱକୁ କଳାହାଣ୍ଡିର ରୂପାନ୍ତରର କାହାଣୀ କହିବ ।
ଏହି ଉଦ୍ୟାନ ଭିତରେ ମା’ ଇନ୍ଦ୍ରାବତୀଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଇନ୍ଦ୍ରାବତୀର ଟୋପାଏ ବି ଜଳବିନ୍ଦୁକୁ ନଷ୍ଟ ହେବାକୁ ନ ଦେଇ, କଳାହାଣ୍ଡିର ବିକାଶରେ ପୂରା ବିନିଯୋଗ କରିବା ସହିତ ଭବିଷ୍ୟତ ପିଢି ପାଇଁ ଇନ୍ଦ୍ରାବତୀର ପାଣିକୁ ସୁରକ୍ଷିତ ରଖିବାକୁ ସଂକଳ୍ପ ନେବା ପାଇଁ ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ଚାଷୀ ଭାଇଭଉଣୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ ।
ଆଜି ଉଦ୍‌ଘାଟିତ ଓ ଶିଳାନ୍ୟାସ କରାଯାଇଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ମେଗା ଉଠା ଜଳସେଚନ ବ୍ୟବସ୍ଥା, ଫୁଡ୍ ପାର୍କ, ନୂଆ ବିଦ୍ୟୁତ ଫିଡର ଲାଇନ୍, ଭବାନୀପାଟଣାରେ ନୂଆ ବସ୍‌ଷ୍ଟାଣ୍ଡ, ରାସ୍ତାଘାଟ, ସେତୁ ଆଦି ବିଭିନ୍ନ ପ୍ରକଳ୍ପ ରହିଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ ,ମନ୍ତ୍ରୀ ରଘୁନଦନ ଦାଶ, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଉଦବୋଧନ ଦେଇଥିଲେ । ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ଆକର୍ଷଣୀୟ ନୃତ୍ୟ ଜରିଆରେ କଳାହାଣ୍ଡିର ବିକାଶର ଧାରା ଉପସ୍ଥାପନା କରିଥିଲେ ।