“ମୋ ସ୍କୁଲ” ଆପ୍ ସହ କଫିଟେବୁଲ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନଭେମ୍ବର ୧୪ ଶିଶୁ ଦିବସ ଅବସରରେ ଆଜି ପାଖାପାଖି ୨୦ ଜଣ ଛାତ୍ରଛାତ୍ରୀଙ୍କ ସହ ଶିଶୁ ଦିବସ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ନବୀନ ନିବାସକୁ ଆସିଥିବା ଏହି ପିଲାମାନଙ୍କୁ ନବୀନ ଚକୋଲେଟ ବାଣ୍ଟିବା ସହ ଭବିଷ୍ୟତର ଏହି ପିଢିଙ୍କ ସହ ଶିଶୁ ଦିବସ ପାଳନ କରି ଖୁସି ଥିବାର ନବୀନ ଟ୍ୱିଟରରେ ପୋଷ୍ଟ କରିଛନ୍ତି | ସେହିପରି ଆଜି ସଚିବାଳୟରେ ମୋ ସ୍କୁଲ ମୋବାଇଲ ଆପ ମଧ୍ୟ ଲଞ୍ଚ କରିଛନ୍ତି | ଆପ ସହ କଫିଟେବୁଲ ନାମକ ବହି ମଧ୍ୟ ଉନ୍ମୋଚନ କରିଛନ୍ତି |

‘ମୋ ସ୍କୁଲ ’ ଆପରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ହୋମ ରେଣ୍ଟାଲ ନେଟୱାର୍କ ନେଷ୍ଟୱେର ସହ ସଂସ୍ଥାପକ ଅମରେନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି | ସେହିପରି ମୋ ସ୍କୁଲ ଅଭିଯାନର ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଏହି ଆନ୍ଦୋଳନରେ ସମସ୍ତେ ଯୋଗ ଦେବାକୁ ଆହ୍ୱାନ କରିଥିଲେ |

ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରମାନେ କୌଣସି ଶିକ୍ଷାନୁଷ୍ଠାନର ସମୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି | ଏଠାରେ ସୂଚନା ଥାଉ କି ଏହି ଆପ୍ ଜରିଆରେ ପୁରାତନ ଛାତ୍ରଛାତ୍ରୀଏବଂ ଅନୁଷ୍ଠାନ,ସଂସ୍ଥା ଯୋଡ଼ି ହୋଇ ବିଦ୍ୟାଳୟର ବିକାଶ ପାଇଁ ଦାନ କରିପାରିବେ |