ପୂର୍ବାଂଚଳ ରାଜ୍ୟ ପରିଷଦ ବୈଠକ; ଏହି ୪ ପ୍ରସଙ୍ଗ ଉଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜଧାନୀରେ ଗୃହମନ୍ତ୍ରୀ ଅମିତ ଶାହ । ପୂର୍ବାଂଚଳ ରାଜ୍ୟ ପରିଷଦ ବୈଠକରେ କରୁଛନ୍ତି ଅଧ୍ୟକ୍ଷତା । ଉପସ୍ଥିତ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିହାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ଝାଡଖଣ୍ଡର ଅର୍ଥମନ୍ତ୍ରୀ ।

ଏହି ବୈଠକରେ ୪ଟି ପ୍ରସଙ୍ଗ ଉଠାଇଛନ୍ତି ନବୀନ । ଜାତୀୟ ସଂହତି ଓ ରାଜ୍ୟ-ରାଜ୍ୟ, କେନ୍ଦ୍ର-ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଏହି ବୈଠକର ମୂଳ ଉଦ୍ଦେଶ୍ୟ । ଅର୍ଥନୈତିକ ଭିତିଭୂମି ଓ ପ୍ରଯୁକ୍ତି ବିଦ୍ୟାକୁ ନେଇ ସମସ୍ତଙ୍କ ମଧରେ ସଂହତି ଆସିବ ଦରକାର । ତଟେଲି ଯୋଗାଯୋଗ, ବ୍ୟାଙ୍କିଙ୍ଗ ସେବା ଓ ରେଳ, ସଡକ ସଂଯୋଗ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ଦୁଇ ଗୁଣ କରିବାକୁ ପ୍ରସ୍ତାବ ରଖିଛନ୍ତି ନବୀନ ।

ପୂର୍ବାଂଚଳ ପରିଷଦରେ ଥିବା ଏହି ୪ ରାଜ୍ୟର ଅବଦାନ ଦେଶର ଖଣିଜ ସମ୍ପତିରେ ଅଧିକ ଥିବାରୁ ଏହି ରାଜ୍ୟକୁ ଅଧିକ ଅନୁଦାନ ମିଳିବ ଦରକାର ବୋଲି କହିଛନ୍ତି ନବୀନ । ୨୦୧୨ରୁ କୋଇଲା ରାୟଲିଟି ସଂଶୋଧନ ହୋଇନାହିଁ । ଏବେ ଏହା ସଂଶୋଧନ ହେବାର ଜରୁରୀ ଆବଶ୍ୟକ ରହିଛି ବୋଲି ସେ ଦର୍ଶାଇଛନ୍ତି ।

ସେହିପରି କ୍ଲିନ ଏନର୍ଜୀ ସେସ ରାଜ୍ୟଗୁଡିକୁ ଦେବା ଦରକାର । ଭିତିଭୂମି ଉନ୍ନୟନ କ୍ଷେତ୍ରରେ ସ୍ବତନ୍ତ୍ର ଅର୍ଥନୈତିକ ପ୍ୟାକେଜ ପାଇଁ ଦାବି କରିଛନ୍ତି ନବୀନ । ଏହି ୪ ରାଜ୍ୟରେ ଆଦିବାସୀ ବହୁଳ ଅଂଚଳ ଅଧିକ ଥିବାରୁ ହୋ, ଭୂମିଜ ଓ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଲଗାତର ରହିଥିବାରୁ ଏହି ଭିତିରେ ଓଡିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ପ୍ରସ୍ତାବକୁ ବିଚାରକୁ ନେବା ପାଇଁ ଦାବି କରିଛନ୍ତି ନବୀନ । ସହରାଂଚଳକୁ କେନ୍ଦ୍ରୀୟ ଅନୁଦାନ ଦେବାରେ ବିଳମ୍ବ, ଧାନ କିଣାରେ ସବସିଡି ନଦେବା, ରେଳ ପ୍ରକଳ୍ପରେ ରାଜ୍ୟ ସରକାର ୫୦ ପ୍ରତିଶତ ଅନୁଦାନ ସହିତ ମାଗଣା ଜମି ଦେଉଥିଲେ ବି କାମ ଆଗଉନାହିଁ ବୋଲି ଏହି ବୈଠକରେ ଉଲ୍ଲେଖ କରିଛନ୍ତି ନବୀନ ।