ସହିଦ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବ ଲଦ୍ଦାଖର ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ଘୋମାଘୋଟ ଲଢ଼େଇରେ ସହିଦ ହୋଇଥିବା ୨ ଜଣ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନ୍‌ଙ୍କ ପାର୍ଥିବ ଶରୀରରେ ରାଜ୍ୟପାଲ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ବୀର ଯବାନଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଦିଆଯିବା ସମୟରେ ବହୁ ନେତା, ମନ୍ତ୍ରୀ ଓ ପୁଲିସ କର୍ମଚାରୀମାନେ ଉପସ୍ଥିତ ଅଛନ୍ତି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମଧ୍ୟ ଉପସ୍ଥିତ ଅଛନ୍ତି। ସହିଦଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଏହା କନ୍ଧମାଳ ଓ ମୟୂରଭଂଜ ଅଭିମୁଖେ ଯିବ ଜନ୍ମଭୂମିରେ ମରଶରୀର ପହଞ୍ଚିବା ପରେ ସହିଦ ଯବାନଙ୍କୁ ପରିବାର ଓ ବନ୍ଧୁବର୍ଗ, ଗ୍ରାମବାସୀ ତଥା ସ୍ଥାନୀୟ ଅଞ୍ଚଳର ଲୋକେ ଶ୍ରଦ୍ଧାଞ୍ଜଳି ଦେବେ। ଏହା ପରେ ଗାଁ ମଶାଣୀରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସଂପନ୍ନ ହେବ।

ସୂଚନାଯୋଗ୍ୟ, ଗଲଓ୍ଵାନ ଉପତ୍ୟକାରେ ଚଳିତ ମାସ ୧୫ ଓ ୧୬ ତାରିଖ ରାତିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏଥିରେ ଓଡ଼ିଶାରୁ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍‌ ବିଅରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ (୨୮) ଓ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଚମ୍ପାଉଦା ଗ୍ରାମର ସ୍ୱର୍ଗତ କାହ୍ନୁ ସୋରେନଙ୍କ ପୁଅ ନନ୍ଦୁରାମ (୪୩) ସାମିଲ ଥିଲେ।