ସ୍ୱଚ୍ଛତା ସର୍ଭେର ଶ୍ରେଷ୍ଠ ୧୦ ତାଲିକାରେ ରାଜସ୍ଥାନର ୬ଟି ଷ୍ଟେସନ

ନୂଆଦିଲ୍ଲୀ: ରେଳବାଇର ସ୍ୱଚ୍ଛତା ସର୍ଭେରେ ରାଜସ୍ଥାନର ୬ଟି ଷ୍ଟେସନ ଶ୍ରେଷ୍ଠ ୧୦ ତାଲିକାରେ ସାମିଲ ହୋଇପାରିଛି । ଏଥିରୁ ରାଜଧାନୀ ଜୟପୁର ଅନ୍ତର୍ଗତ ୩ଟି ଷ୍ଟେସନ ଯୋଡ଼ିହୋଇଛି । ରାଜସ୍ଥାନର ୬ଟି ଷ୍ଟେସନ ହେଲା ଜୟପୁର, ଦୁର୍ଗାପୁରା, ଗାନ୍ଧୀନଗର, ଯୋଧପୁର, ଉଦୟପୁର ଓ ଆଜମେର । ଦେଶର ଅନ୍ୟ ୪ଟି ସ୍ୱଚ୍ଛ ଷ୍ଟେସନ ହେଉଛି ଜମ୍ମୁ-ତବି, ସୁରତଗଡ଼, ବିଜୟୱାଡା ଓ ହରିଦ୍ୱାର । ରେଳମନ୍ତ୍ରୀ ପୀୟୁଷ ଗୋୟଲ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ବୁଧବାର ଏହି ଘୋଷଣା କରିଛନ୍ତି । 

ସବୁଠାରୁ ଦୁଃଖର ବିଷୟ ହେଲା ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଦେଶ-ବିଦେଶର ସବୁଠାରୁ ଅଧିକ ଶିକ୍ଷିତ ଲୋକ ବସବାସ କରିବା ସତ୍ତେ୍ୱ ଏଠାକାର ଗୋଟିଏ ବି ଷ୍ଟେସନ ଶ୍ରେଷ୍ଠ ୧୦ଟି ସ୍ୱଚ୍ଛତା ତାଲିକାରେ ରହିପାରି ନାହିଁ । ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ ୨୬ତମ ସ୍ଥାନରେ ରହିଛି । ସେହିପରି ନୂଆଦିଲ୍ଲୀର ସ୍ଥାନ ୧୬୫ତମ ଥିବା ବେଳେ ହଜରତ ନିଜାମୁଦ୍ଦୀନର ସ୍ଥାନ ୨୪୧ ରହିଛି । ଦିଲ୍ଲୀର ଛାବଭୀ, ୩୮୯, ଦିଲ୍ଲୀ ଜଙ୍କସନ ୩୯୦ ଓ ଶହାଦରାକୁ ୩୭୮ ସ୍ଥାନ ମିଳିଛି । 

ମୁମ୍ବାଇର ୧୦୯ଟି ଷ୍ଟେସନ ମଧ୍ୟରୁ ଅନେ୍ଧରୀ, ବିରାର ଓ ନାୟଗାଓ ଷ୍ଟେସନକୁ ସ୍ୱଚ୍ଛ ଷ୍ଟେସନ ଭାବେ ଘୋଷଣା କରାଯାଇଛି । ଦକ୍ଷିଣ ରେଳବାଇ ପେରୁଗଲତୁର, ଗୁଡୁୱାଚାରୀ, ସିଙ୍ଗାପେରୁମାଲକକୋଇଲ ଓ ଓଟ୍ଟାପଲ୍ଲମ ରହିଛି । ରେଳବାଇ ମଣ୍ଡଳ ଭାବେ ଉତ୍ତର-ପଶ୍ଚିମ ଶ୍ରେଷ୍ଠ ସ୍ଥାନ ହାସଲ କରିଛି, ଯିଏକି ରାଜସ୍ଥାନ, ଗୁଜୁରାଟ, ପଂଜାବ ଓ ହରିୟାଣାରେ ୫,୭୬୧ କିଲୋମିଟର ଲମ୍ବ ରେଳଲାଇନ ପରିଚାଳନା କରିଥାଏ । ଦ୍ୱିତୀୟ ସ୍ଥାନରେ ଦକ୍ଷିଣ-ପୂର୍ବ ରେଳପଥ ଓ ପୂର୍ବ-ମଧ୍ୟ ରେଳବାଇକୁ ତୃତୀୟ ସ୍ଥାନ ମିଳିଛି ।