୯ମ ଶ୍ରେଣୀର ବଳକା ପରୀକ୍ଷା ହେବନି; ୫ଟି ବିଷୟର ମୂଲ୍ୟାୟନ ହେବ

ଭୁବନେଶ୍ୱର: ୯ମ ଶ୍ରେଣୀର ବାର୍ଷିକ ପରୀକ୍ଷାର ବଳକା ପରୀକ୍ଷା ହେବନାହିଁ । ଯେଉଁ ୫ଟିର ପରୀକ୍ଷା ହୋଇଛି, ସେହି ୫ଟି ଖାତାର ମୂଲ୍ୟାୟନ ହୋଇ ଦଶମ ଶ୍ରେଣୀକୁ ଉତୀର୍ଣ୍ଣ କରାଯିବ ।ଉକ୍ତ ଉତର ଖାତାଗୁଡ଼ିକ କିଭଳି ଶିକ୍ଷକମାନେ ଘରେ ରହି ମୂଲ୍ୟାୟନ କରିପାରିବେ, ସେନେଇ ଆଲୋଚନା ଜାରି ରହିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବର୍ତମାନ ସ୍ଥିତିରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ କିଭଳି ଅଧିକ ପଦକ୍ଷେପ ନିଆଯାଇପାରିବ, ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇଛି। ବିଭଗୀୟ ମନ୍ତ୍ରୀ ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏହି କମିଟିରେ ବିଭାଗୀୟ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମନେ ରହିଛନ୍ତି। ଏହି କମିଟିର ପ୍ରଥମ ବୈଠକ ଆଜି ଭିଡିଓ କନଫ‌ରେନ୍ସ ମାଧ୍ୟମରେ ହୋଇଛି। ଆଗକୁ ଏହି କମିଟିର ବୈଠକ ନିୟମିତ ଭାବେ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଛି। ବର୍ତମାନ ପରିସ୍ଥିତି ଉପରେ ଆଲୋଚନା କରାଯିବା ସହ ଭବିଷ୍ୟତ ଲାଗି କି କି ପଦକ୍ଷେପ ନିଆଯିବ, ସେନେଇ ଏହି କମିଟି ନିଷ୍ପତି ନେବ। ଆଗାମୀ ଦିନରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ଶିକ୍ଷା ଦିଆଯିବ ବୋଲି ବିଭାଗ ନିଷ୍ପତି ନେଇଛି। ଏହା କିଭଳି ଫଳପ୍ରଦ ହୋଇପାରିବ, ସେନେଇ ରାଜ୍ୟର ବିଭିନ୍ନ ଶିକ୍ଷକ ସଂଘଙ୍କ ସହ ଆଲୋଚନା ଜାରି ରହିଛି।

ସୂଚନା ଅନୁଯାୟୀ, ୯ମ ଶ୍ରେଣୀରେ ପଢ଼ୁଥିବା ତଥା ୨୦୨୧ରେ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ଶିକ୍ଷା ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଲକ୍‌ଡାଉନ୍‌ ଉଠିବା ପରେ ଏନେଇ ଆଲୋଚନା କରାଯିବ। କେନ୍ଦ୍ର ସରକାରଙ୍କ ‘ଦୀକ୍ଷା’ ଆପ୍‌ ଦ୍ୱାରା ଦଶମ ଶ୍ରେଣୀ ପିଲାଙ୍କୁ ପାଠପଢ଼ିବା ଲାଗି କୁହାଯିବ। ଏବେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପ୍ରାୟ ୬ଲକ୍ଷ ଛାତ୍ରଛାତ୍ରୀ ପଢ଼ୁଛନ୍ତି।