ଭୁବନେଶ୍ୱର: କରୋନା ଲକ୍ଡାଉନ୍ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏହି ସମସ୍ୟାର ସମାଧାନ ନିମନ୍ତେ ଦୂରଦର୍ଶନର ସହାୟତା ନିଆଯାଇଛି । ଲକ୍ଡାଉନ ସମୟରେ ଦୂରଦର୍ଶନ ଜରିଆରେ ଦଶମ ଶ୍ରେଣୀର ପାଠ ପଢାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ଓଡ଼ିଶା ସ୍କୁଲ୍ ଏଜୁକେସନ୍ ପ୍ରୋଗ୍ରାମ ଅଥରିଟି-ଓସେପା ପକ୍ଷରୁ ନିଆଯାଇଛି ।
ସୂଚନା ଅନୁଯାୟୀ, ଆସନ୍ତା ୨୦ ତାରିଖରୁ ଏଜୁସାଟ୍ ପକ୍ଷରୁ ପ୍ରସ୍ତୁତ ଭିଡିଓର ପୁନଃ ପ୍ରସାରଣ ହେବ। ଏପ୍ରିଲ ୨୦ରୁ ମେ ମାସ ୧୨ ତାରିଖ ମଧ୍ୟରେ ୩୪ଟି ଭିଡିଓର ପୁନଃ ପ୍ରସାରଣ ପାଇଁ ନିଷ୍ପତ୍ତି ହୋଇଛି। ଏହା ପ୍ରତି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଦିନକୁ ଏକ ଘଣ୍ଟା ଲେଖାଏ ୨ଥର କାର୍ଯ୍ୟକ୍ରମ ପୁନଃ ପ୍ରସାରଣ କରାଯିବ। ସକାଳ ୧୧ଟାରୁ ୧୨ଟା ଓ ୩ଟା ୩୦ରୁ ୪ଟା ୩୦ ପ୍ରସାରଣ ହେବ। ଗଣିତ, ଇଂରାଜୀ, ଭୂଗୋଳ, ଏସସିପି ଓ ଏସସିଏଲ ପାଠର ପୁନଃ ପ୍ରସାରଣ ହେବ।