ଇତିହାସରେ ପ୍ରଥମ: ହାଇକୋର୍ଟର ସିଟିଙ୍ଗ୍ ଜଜଙ୍କ ବିରୋଧରେ ରୁଜୁ ହେବ ଏଫଆଇଆର

ନୂଆଦିଲ୍ଲୀ: ଇତିହାସରେ ପ୍ରଥମ ଥର ପାଇଁ କୌଣସୀ ହାଇକୋର୍ଟର ସିଟିଙ୍ଗ୍ ଜଜଙ୍କ ବିରୋଧରେ କେସ ରୁଜୁ ହୋଇଛି । ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗେଇ ଏଥିପାଇଁ ଅନୁମତି ଦେଇଛନ୍ତି । ଇଲାହାବାଦ ହାଇକୋର୍ଟର ଜଷ୍ଟିସ୍ ଏସଏନ ଶୁକ୍ଳାଙ୍କ ବିରୋଧରେ ଭ୍ରଷ୍ଟାଚାରୀ ନିରୋଧୀ କାନୁନ ଆଧାରରେ ସିବିଆଇକୁ ମକୋଦ୍ଦମା ରୁଜୁ ପାଇଁ ମୁଖ୍ୟ ନ୍ୟାୟାଧୀଶ ଅନୁମତି ଦେଇଛନ୍ତି । ତେବେ ହାଇକୋର୍ଟର କୌଣସୀ ସିଟିଙ୍ଗ୍ ଜଜଙ୍କ ବିରୋଧରେ ଏଭଳି ପ୍ରଥମ ଥର ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ହାଇକୋର୍ଟ ଜଷ୍ଟିସ୍ ଏସଏନ.ଶୁକ୍ଳାଙ୍କ ବିରୋଧରେ ଭ୍ରଷ୍ଟାଚାରରେ ଲିପ୍ତ ଥିବା ଗମ୍ଭୀର ଅଭିଯୋଗ ଲାଗିଛି । ୟୁପିର ମେଡିକାଲ କଲେଜରେ ଏମବିବିଏସ୍ ପ୍ରବେଶ ପାଇଁ ସେ ନିଜର କ୍ଷମତାର ଦୂରୁପଯୋଗ କରି ଗଡବଡ କରିଥିବା ଅଭିଯୋଗ ହୋଇଛି । କୁହାଯାଉଛି କି, ଘରୋଇ ମେଡିକାଲ କଲେଜର ଲାଭ ପାଇଁ ଜଷ୍ଟିସ୍ ଶୁକ୍ଳା ୨୦୧୭-୧୮ରେ ପ୍ରବେଶ ତିଥିରେ ବୃଦ୍ଧି କରିଥିଲେ । 

ଏହି କାରଣରୁ ତାଙ୍କ ଉପରେ ୨୦୧୮ରେ ସେ କୌଣସୀ ନ୍ୟାୟିକ ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ପ୍ରତିବନ୍ଧକ ଲାଗିଥିଲା । ସେହି ସମୟରେ ଚିଫ୍ ଜଷ୍ଟିସ୍ ତାଙ୍କର କାର୍ଯ୍ୟସ୍ଥଳ ପରିବର୍ତ୍ତନ କରିବା ପ୍ରସ୍ତାବ ମଧ୍ୟ ଅନଗୃହୀତ କରିଛନ୍ତି ।