ଅମିତ ଶାହଙ୍କ ଜମ୍ମୁ ଗସ୍ତବେଳେ ବିସ୍ଫୋରଣ: ଜଣେ ମୃତ ଦୁଇ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ହୋଇଥିବା ଏକ ବିସ୍ଫୋରଣରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। କୁଲଗାମ ଜିଲ୍ଲା ଚଦେର ଗାଁରେ ଏହି ବିସ୍ଫୋରଣ ହୋଇଛି। ଘଟଣାସ୍ଥଳରେ ହିଁ ଜଣେ ସାଧାରଣ ନାଗରିକ ନଜିର ଅହମଦଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଆହତ ବ୍ୟକ୍ତି ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଅମିତ ଶାହ ଏବେ ଜମ୍ମୁ କଶ୍ମୀର ଗସ୍ତରେ। ଦୁଇ ଦିନିଆ ଗସ୍ତର ଆଜି ଅନ୍ତିମ ଦିନ। ଗୃହମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଏଭଳି ବିସ୍ଫୋରଣ ହୋଇଛି।

ଜମ୍ମୁ କଶ୍ମୀର ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି କିନ୍ତୁ ବିସ୍ଫୋରଣ ସମ୍ପର୍କିତ ସବିଶେଷ ତଥ୍ୟ ପୁଲିସ ପ୍ରକାଶ କରିନାହିଁ।