ନାଗରିକତା ସଂଶୋଧନ ବିଧେୟକ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବାର୍ତା

ମିଥ୍ୟା ଓ ଗୁଜବଠାରୁ ଦୂରେଇ ରହିବା ପାଇଁ ଦେଶବାସୀଙ୍କୁ ନିବେଦନ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଧେୟକ କୌଣସି ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କୁ ହାନି ପହଂଚାଇବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶ୍ୱାସନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ ଜରିଆରେ କହିଛନ୍ତି, “ନାଗରିକତା ସଂଶୋଧନ ବିଧେୟକ ବିରୋଧରେ ହିଂସାତ୍ମକ ପ୍ରତିବାଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦାୟକ” । ଆଲୋଚନା, ବିତର୍କ ଏବଂ ମତଭେଦ ଗଣତନ୍ତ୍ରର ମହତ୍ୱପୂର୍ଣ୍ଣ ଅଂଶ, କିନ୍ତୁ ସାର୍ବଜନୀନ ସମ୍ପତି ନଷ୍ଟ ଓ ସାଧାରଣ ଜୀବନରେ ଶାନ୍ତିଭଙ୍ଗ କରିବା ଆମ ସଂସ୍କୃତି ନୁହେଁ ।

ନାଗରିକ ସଂଶୋଧନ ବିଧେୟକ ୨୦୧୯ ସଂସଦର ଉଭୟ ଗୃହରେ ବ୍ୟାପକ ସମର୍ଥନ ସହ ପାରିତ ହୋଇଛି । ବହୁସଂଖ୍ୟାରେ ରାଜନୈତିକ ଦଳ ଏବଂ ସାଂସଦ ଏହାକୁ ସମର୍ଥନ କରିଛନ୍ତି । ଏହି ବିଧେୟକ ଭାରତର ସହାବସ୍ଥାନ, କରୁଣା, ଭାଇଚାରା ଏବଂ ସମସ୍ତଙ୍କୁ ଆପଣାଇବା ସଂସ୍କୃତିର ପ୍ରତିଫଳନ । ମୁଁ ସମସ୍ତ ଦେଶବାସୀଙ୍କୁ ପୁନଃ ଆଶ୍ୱାସନା ଦେବାକୁ ଚାହେଁ ଯେ, ଏହି ବିଧେୟକ କୌଣସି ସମ୍ପ୍ରଦାୟର କ୍ଷତି କରିବ ନାହିଁ । ଏହି ବିଧେୟକ ହେତୁ କୌଣସି ଭାରତୀୟଙ୍କୁ ଚିନ୍ତାପ୍ରକଟ କରିବାର ଆବଶ୍ୟକତା ନାହିଁ । ଏହା ସେମାନଙ୍କ ପାଇଁ ଯେଉଁମାନେ ଅନ୍ୟଦେଶରେ ବହୁ ବର୍ଷ ଧରି ପୀଡିତ ଏବଂ ଭାରତ ଛଡା ଅନ୍ୟ କୌଣସି ଜାଗାରେ ସେମାନଙ୍କ ପାଇଁ ଆଶ୍ରୟ ନାହିଁ ।

ସାଂପ୍ରତିକ ସମୟର ଆହ୍ୱାନ ଅନୁସାରେ ଆମ ସମସ୍ତଙ୍କୁ ଭାରତର ବିକାଶ ଏବଂ ପ୍ରତ୍ୟେକ ଭାରତୀୟ ବିଶେଷ କରି ଗରିବ, ନିଷ୍ପେସିତ ଓ ବଂଚିତଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବାକୁ ପଡିବ । ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କୁ ଆମେ ଏକତା ଭାଙ୍ଗିବା ଏବଂ ହିଂସାତ୍ମକ କାଣ୍ଡ ଘଟାଇବାର ସୁଯୋଗ ଦେବାନାହିଁ । ବର୍ତମାନ ଶାନ୍ତି, ଏକତା ଓ ଭାଇଚାରା ବଜାୟ ରଖିବାର ସମୟ । ମୁଁ ସମସ୍ତ ଦେଶବାସୀଙ୍କୁ ନିବେଦନ କରିବାକୁ ଚାହେଁ ଯେ, ସମସ୍ତ ପ୍ରକାରର ମିଥ୍ୟା ଓ ଗୁଜବଠାରୁ ଦୂରେଇ ରହୁନ୍ତୁ ।