ଆଜି ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲର ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ବହୁପ୍ରତିକ୍ଷିତ ନାଗରିକତା ସଂଶୋଧନ ବିଲର ଭାଗ୍ୟ ପରୀକ୍ଷା । ଲୋକସଭାରେ ଏହି ବିଲ ପାସ ହେବା ପରେ କେନ୍ଦ୍ର ସରକାର ଏହାକୁ ପାରିତ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ଚେଷ୍ଟା ଚଳାଇଛନ୍ତି । ଅନ୍ୟପକ୍ଷରେ ଏହି ବିଲକୁ ନେଇ ବହୁ ସ୍ଥାନରେ ଏବଂ ବିରୋଧୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ସୂଚନାଯୋଗ୍ୟ, ସୋମବାର ଲୋକସଭାରେ ଶିବସେନା ନାଗରିକତା ସଂଶୋଧନ ବିଲ ଉପରେ ବିଜେପିକୁ ସମର୍ଥନ ଜଣାଇ ମତଦାନ କରିଥିଲା କିନ୍ତୁ ରାଜ୍ୟସଭାରେ ବିଧେୟକର ସମର୍ଥନ କରିବା ପୂର୍ବରୁ ସର୍ତ୍ତ ରଖିଛି । ମଙ୍ଗଳବାର ଶିବସେନା ଅଧ୍ୟକ୍ଷ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ନାଗରିକତା ବିଲରେ ଶିବସେନା ଏହାକୁ ସମର୍ଥନ କରିବ ନାହିଁ । ଲୋକସଭାରେ ଏହି ବିଲ ଆଗତ ହେବା ପରେ ଆମର ସାଂସଦମାନେ କିଛି ପ୍ରଶ୍ନ ଉଠାଇଥିଲେ ବୋଲି ସେ କହିଛନ୍ତି ।

ଜେଡିୟୁର ନେତାମାନେ ପାର୍ଟିର ନିଷ୍ପତ୍ତି ବଦଳାଇବାକୁ ଚାପ ପ୍ରୟୋଗ କରୁଛନ୍ତି । ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ଓ ରାଷ୍ଟ୍ରୀୟ ମହାସଚିବ ପବନ ଶର୍ମା ଟୁଇଟ କରି ସମର୍ଥନ ବାବଦରେ କହିଛନ୍ତି, ପାର୍ଟି ପୁଣି ଥରେ ଏହାରି ଉପରେ ଚିନ୍ତା କରିବ ।