ମେ’ ୩୦ ସୁଦ୍ଧା ଖାତାଦେଖା କେନ୍ଦ୍ର ସାନିଟାଇଜ କରିବାକୁ ଜିଲ୍ଲାପାଳମାନଙ୍କୁ +୨ କାଉନସିଲର ନିର୍ଦ୍ଦେଶ

ଭୁବନେଶ୍ୱର: ଜୁନ ପହିଲାରୁ ଆରମ୍ଭ ହେବ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଉତ୍ତରଖାତା ମୂଲ୍ୟାୟନ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯିବା ପରେ ବିଧିବଦ୍ଧ ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରକ୍ରିୟା ଆରମ୍ଭ କରିଛି। ତେବେ ରାଜ୍ୟରେ ଚିହ୍ନଟ ହୋଇଥିବା କେତେକ ମୂଲ୍ୟାୟନ କେନ୍ଦ୍ରକୁ କରୋନା ପାଇଁ ସଙ୍ଗରୋଧ କେନ୍ଦ୍ର କରାଯାଇଥିବାରୁ ତାହାକୁ ତୁରନ୍ତ ଖାଲି କରିବାକୁ ସମସ୍ତ ଜିଲ୍ଲାପାଳମାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜୁନ ୧ରୁ ଖାତା ଦେଖା ଆରମ୍ଭ ହେବାକୁ ଥିବାରୁ ମେ ୩୦ ସୁଦ୍ଧା କେନ୍ଦ୍ର ଖାଲି କରିବା ସହ ସାନିଟାଇଜେସନ କରିବାକୁ କୁହାଯାଇଛି ।

ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ କହିଛନ୍ତି ଯେ ମୂଲ୍ୟାୟନ କେନ୍ଦ୍ର ହେବାକୁ ଥିବା କିଛି କଲେଜକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଙ୍ଗରୋଧ କେନ୍ଦ୍ର ଓ ଅସ୍ଥାୟୀ ମେଡିକାଲ କେନ୍ଦ୍ର କରାଯାଇଛି । କୋଭିଡ-୧୯ ଯୋଗୁଁ ଯୁକ୍ତ ଦୁଇ ପରୀକ୍ଷା, ଖାତା ମୂଲ୍ୟାୟନ ଓ ପରୀକ୍ଷାଫଳ ପ୍ରକାଶରେ ବିଳମ୍ବ ହୋଇଛି । ଛାତ୍ରଛାତ୍ରୀ ବହୁ ମାତ୍ରାରେ ପ୍ରଭାବିତ ହୋଇଥିବାରୁ ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ ପହିଲାରୁ ଖାତା ଦେଖା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ସେଥିପାଇଁ ମୂଲ୍ୟାୟନ କେନ୍ଦ୍ରଗୁଡିକୁ ପ୍ରସ୍ତୁତି କରିବାକୁ ପଡିବ । ମୂଲ୍ୟାୟନ କେନ୍ଦ୍ରରେ ମୁଲ୍ୟାୟନକାରୀ ଓ ଜୋନାଲ ଅଧିକାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ପଡିବ ।

ତେଣୁ ସଙ୍ଗରୋଧ କେନ୍ଦ୍ର ହୋଇଥିବା ମୂଲ୍ୟାୟନ କେନ୍ଦ୍ରଗୁଡିକୁ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟ/ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଉ । ଯଦି ଖାଲି କରିବା ସମ୍ଭବପର ହେଉନାହିଁ ତେବେ ସଙ୍ଗରୋଧ କେନ୍ଦ୍ର ଓ ମୂଲ୍ୟାୟନ କେନ୍ଦ୍ର ମଧ୍ୟରେ ବ୍ୟାରିକେଡ଼ କରି ପୃଥକିକରଣ କରାଯାଉ । ସେହିପରି ମୁଲ୍ୟାୟନକାରୀଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରିବା ସହ ସାନିଟାଇଜର ଉପଲବ୍ଧ କରିବା ଦିଗରେ ସ୍ଥାନୀୟ ମ୍ୟୁନିସିପାଲଟି ଓ ସିଡିଏମଓମାନେ ପଦକ୍ଷେପ ନେବାକୁ କୁହାଯାଇଛି ।