ଆଜି ବଡ ଦିନ : ଧରାବତରଣ କଲେ ପ୍ରଭୁ ଯିଶୁ

ଭୁବନେଶ୍ୱର : ଆଜି ପବିତ୍ର ବଡଦିନ। ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। ସାରା ବିଶ୍ୱରେ ପ୍ରଭୁଙ୍କୁ ବେଶ ଧୂମଧାମରେ ସ୍ୱାଗତ କରାଯାଇଛି। ଓଡ଼ିଶା ବି ଏଥିରେ ପଛରେ ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଭୁ ଯୀଶୁଙ୍କୁ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମ ମାଧ୍ୟମରେ ସ୍ୱାଗତ କରାଯାଇଛି।

ସୁନ୍ଦର ଆଲୋକମାଳାରେ ଝଲସୁଛି ଗୀର୍ଜାଘରଗୁଡିକ। ଆଜିର ଏହି ଦିନଟିକୁ ଆନନ୍ଦ ଉଲ୍ଲାସର ସହ ପାଳିବା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ।କଟକରୁ କନ୍ଧମାଳ, ରାଉରକେଲାରୁ ରାଜଧାନୀ ଭୁବନେଶ୍ୱର ସବୁଠି ଆଲୋକମାଳାରେ ଝଟକୁଛି ପ୍ରାର୍ଥନା ଗୃହ। ଖ୍ରୀଷ୍ଟମାସ୍‌ ଟ୍ରି ସଜାଇ କ୍ୟାରୋଲ ଗାନ କରି ପ୍ରଭୁ ଯୀଶୁଙ୍କୁ ସ୍ୱାଗତ କରିଛନ୍ତି ଶ୍ରଦ୍ଧାଳୁ। ପ୍ରଭୁ ଯୀଶୁଙ୍କ ସୁସଜ୍ଜିତ ଜନ୍ମସ୍ଥଳିରେ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ।

ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମବିଧି ପାରମ୍ପରିକ ବିଧିବିଧାନ ଅନୁଯାୟୀ ସମ୍ପନ୍ନ ହୋଇଥିଲା। ଚର୍ଚ୍ଚ ପରିସରରେ ନିର୍ମିତ ଅସ୍ଥାୟୀ ଗୁହାଳରୁ ଫାଦର ନବଜାତ ଯିଶୁଙ୍କ ମୂର୍ତ୍ତି ଚର୍ଚ୍ଚକୁ ଆଣିଥିଲେ। ଏହି ଅବସରରେ ସୁଶ୍ରାବ୍ୟ ସଙ୍ଗୀତ ଗାନ କରାଯାଇଥିଲା। ଚର୍ଚ୍ଚ ପରିସରରେ ସୃଷ୍ଟି ହୋଇଥିଲା ଆବେଗପୂର୍ଣ୍ଣ ତଥା ଭାବଗମ୍ଭୀର ପରିବେଶ। ଫାଦର ନବଜାତ ଯିଶୁଙ୍କ ମୂର୍ତ୍ତି ପ୍ରାର୍ଥନା ଗୃହକୁ ନେଇଥିଲେ। ସମବେତ ଶ୍ରଦ୍ଧାଳୁମାନେ ଯିଶୁଙ୍କ ମୂର୍ତ୍ତିକୁ ଚୁମ୍ବନ ଦେଇ ସ୍ବାଗତ କରିଥିଲେ। ଏହି ଅବସରରେ ପ୍ରଭୁ ଯିଶୁଙ୍କ ଉଦ୍ଦେଶ୍ୟରେ ଦିବ୍ୟ ପ୍ରସାଦ ସମର୍ପଣ କରାଯିବା ସହିତ ସମବେତ ଶ୍ରଦ୍ଧାଳୁଙ୍କୁ ବିତରଣ କରାଯାଇଥିଲା। ବଡ଼ଦିନ ଉପଲକ୍ଷେ ଆୟୋଜିତ ସ୍ବତନ୍ତ୍ର ମଧ୍ୟରାତ୍ର ପ୍ରାର୍ଥନା ସମାବେଶ ପରେ ଶ୍ରଦ୍ଧାଳୁମାନେ ପରସ୍ପରକୁ ଆଲିଙ୍ଗନ ପୂର୍ବକ ଅଭିନନ୍ଦନ ଜଣାଇଥିଲେ।