ଉଡ୍ର ପକ୍ଷରୁ “ୱାଣ୍ଡର ଅଫ୍ ସାଇଲେଂଟ” ସ୍କୁଲ ରେ ବଡ଼ଦିନ ପାଳନ

ସିକ୍ରେଟ ସାନ୍ତା ସାଜିଥିଲେ ଅଭିନେତା ଆକାଶ ଦାସ ନାୟକ

ଭୁବନେଶ୍ୱର: ଆଜି ବଡ଼ଦିନ ଉପଲକ୍ଷେ ଉଡ୍ର(ୟୁଡିଆରଏ) ପକ୍ଷରୁ ଭୁବନେଶ୍ୱରସ୍ଥିତ ପଳାଶପଲ୍ଲୀରେ ଥିବା ଏକ ମୁକ ବଧିର “ୱାଣ୍ଡର ଅଫ୍ ସାଇଲେଂଟ” ସ୍କୁଲ ରେ “ବଡ଼ ଦିନ ବଡ଼ ସ୍ୱପ୍ନ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଲିଉଡ ଅଭିନେତା ଆକାଶ ଦାସ ନାୟକ ସିକ୍ରେଟ ସାନ୍ତା ହୋଇ ସେଠାରେ ଥିବା ସମସ୍ତ ପିଲାମାନଙ୍କୁ ଚକୋଲେଟ ଏବଂ ବିଭିନ୍ନ ପ୍ରକାରର ଉପହାର ଭେଟି ଦେଇଥିଲେ । ପିଲାମାନେ ଉପହାର ପାଇବା ପରେ ସିକ୍ରେଟ ସାନ୍ତା ଭାବରେ ଅଭିନେତା ଆକାଶ ଦାସ ଥିବା ନେଇ ଜାଣିବା ପରେ ସେମାନେ ବେଶ୍ ଖୁସି ହୋଇଥିଲେ । ଆକାଶ ଏହି ପିଲାମାନଙ୍କ ସହ ମିଶି ବଡ଼ଦିନକୁ ଖୁବ୍ ଆନନ୍ଦର ସହକାରେ ପାଳନ କରିଥିଲେ । ତେବେ ଏହି ପିଲାମାନଙ୍କର ମୁହଁରେ ଟିକେ ହସ ଫୁଟାଇବା ପାଇଁ ଏହି କାର୍ଯ୍ୟକ୍ରମଟି କରାଯାଇଥିଲା ।

କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି, ଶାରିରୀକ ଅକ୍ଷମତା ଅକ୍ଷମତା ନୁହେଁ । ଯଦି ଜଣେ ବଡ ସ୍ୱପ୍ନ ଦେଖିପାରିବ ଏବଂ ସେହି ସ୍ୱପ୍ନ ପ୍ରତି ତା’ର ବିଶ୍ୱାସ ଥିବ । ତେବେ ଶାରିରୀକ ଅକ୍ଷମତା ତା’ର ସ୍ୱପ୍ନକୁ କେବେ ଭାଙ୍ଗିପାରିବ ନାହିଁ । ଏଥିପାଇଁ ସେଠାରେ ଥିବା ସମସ୍ତ ପିଲାମାନଙ୍କୁ ବଡ ସ୍ୱପ୍ନ ଦେଖିବା ଏବଂ ତାହା ପୂରଣ କରିବା ପାଇଁ ଉତ୍ସାହ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଉଡ୍ର ଟିମ୍ ର ସମସ୍ତ କର୍ମକର୍ତାମାନେ ଉପସ୍ଥିତ ଥିଲେ । ତେବେ ଆଗାମୀ ଦିନରେ ଏଭଳି ଆହୁରି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରାଯିବ ବୋଲି ଉଡ୍ରର ସମ୍ପାଦକ ସୁଭ୍ରଜ୍ୟୋତି ଦାସ ନାୟକ କହିଛନ୍ତି ।