ଚିଟଫଣ୍ଡ କମ୍ପାନୀରେ ୧୦ ହଜାରୁ ଅଧିକ ଟଙ୍କା ଜମାକାରୀଙ୍କୁ ମିଳିବନି କ୍ଷତିପୁରଣ

ଭୁବନେଶ୍ୱର : ଚିଟଫଣ୍ଡ କମ୍ପାନୀରେ ୧୦ ହଜାରୁ ଅଧିକ ଟଙ୍କା ଜମା କରି କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀ ସେମାନଙ୍କ ଅର୍ଥ ଫେରି ପାଇବେ ନାହିଁ । ୧୦ ହଜାରରୁ ଅଧିକ ଟଙ୍କାରଜମାକାରୀଙ୍କୁ ଅର୍ଥ ଫେରାଇବାକୁ ସରକାରଙ୍କ ବ୍ୟବସ୍ଥା ନାହିଁ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ବିଧାନସଭାରେ ଉତ୍ତର ରଖିଛନ୍ତି । ଏହା ସହ ରାଜ୍ୟର ମାତ୍ର ୧୭୧୪ ଜଣ ଜମାକାରୀଙ୍କୁ ସରକାର ସହାୟତା ଅର୍ଥ ଦେଇଛନ୍ତି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ସେହିପରି ୨୦୧୯ ଫେବୃୟାରୀ ୧୨ ସୁଦ୍ଧା ସରକାର ମୋଟ ୩ ଲକ୍ଷ୬୧ ହଜାର ୮୭୧ ଜଣ କ୍ଷୁଦ୍ର ଜମାକରୀଙ୍କୁ ଚିହ୍ନଟ କରାଯାଇଥିବା ଲିଖିତ ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି । ବିଜେଡିର ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏ ସଂପର୍କୀତ ଏକ ପ୍ରଶ୍ନର ଉତ୍ତରେ ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ମାନ୍ୟବର ତଦନ୍ତ କମିଶନଙ୍କ ସୁପାରିସ ମୁତାବକ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କମିଶନଙ୍କ ଠାରୁ ଚୂଡ଼ାନ୍ତ ରିପୋର୍ଟ ପ୍ରାପ୍ତି ପରେ ତଦନ୍ତ କମିଶନ ଆଇନ,୧୯୫୨ ର ଧାରା (୩)ର ଉପଧାରା (୪)ଅନୁଯାୟୀ ତଦନ୍ତ ରିପୋର୍ଟ ଏବଂ ଏହାର କାର୍ଯ୍ୟାନ୍ଵୟନ ବିବରଣୀ ବିଧାନସଭାରେ ଉପସ୍ଥାପନ କରାଯିବ।

ଚିଟ୍‌ ଫଣ୍ଡ୍‌ ତଦନ୍ତ କମିଶନଙ୍କ ୨୦୧୩ ମସିହାର ବିଜ୍ଞପ୍ତି ଅନୁଯାୟୀ ନିର୍ଦ୍ଧାରିତ ସୀମା ମଧ୍ୟରେ ସତ୍ୟପାଠ ଦାଖଲ କରି ନଥିବା କ୍ଷତିଗ୍ରସ୍ତଙ୍କୁ ପୁନର୍ବାର ସୁଯୋଗ ଦେବା ପାଇଁ କମିଶନ ସାନି ବିଜ୍ଞପ୍ତି ଜାରୀ କରି ୨୦୧୯ ଜାନୁଆରୀ ୩୧କୁ ଶେଷ ତାରିଖ ଧାର୍ଯ୍ୟ କରିଥିଲେ। ଏହି ଶେଷ ତାରିଖ ସୁଦ୍ଧା ପ୍ରାୟ ସାତ ଲକ୍ଷ ସତ୍ୟପାଠ କମିଶନଙ୍କ ନିକଟରେ ଦାଖଲ ହୋଇଛି। ଖୁବ୍‌ଶୀଘ୍ର ଏହି ସତ୍ୟପାଠଗୁଡ଼ିକର ଡିଜିଟାଇଜେସନ୍‌ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଡିଜିଟାଇଜେସନ୍‌ ପରେ ସେହି ସତ୍ୟପାଠଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରକାଶ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ମାନ୍ୟବର ତଦନ୍ତ କମିଶନ ଓ ବିଭିନ୍ନ ନ୍ୟାୟାଳୟରେ ଚାଲୁଥିବା ମାମଲାଗୁଡ଼ିକ ନ୍ୟାୟିକ ପ୍ରକ୍ରିୟା ଦ୍ୱାରା ଚୂଡ଼ାନ୍ତ ହେବା ପରେ କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ଚିହ୍ନଟ ସମ୍ଭବ ହେବ।

ତଦନ୍ତ ଚାଲୁ ରହିଥିବାରୁ ରାଜ୍ୟରେ ଜମାକାରୀଙ୍କୁ ଠକିଥିବା ବେଆଇନ୍‌ ଆର୍ଥିକ ପ୍ରତିଷ୍ଠାନଙ୍କ ସଂଖ୍ୟା ଓ ସେମାନେ ହଡପ କରିଥିବା ଟଂକାର ପରିମାଣ ବର୍ତ୍ତମାନ ପ୍ରକାଶ କରିବା ସମ୍ଭବ ନୁହେଁ ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ପୂଜାରୀ ବିଧାୟକ ଶ୍ରୀ ପଟ୍ଟନାୟକଙ୍କର ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି।