ଗଲୱାନ ଘାଟିରୁ ୨ କିମି ପଛକୁ ହଟିଲା ଡ୍ରାଗନ

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ତିକ୍ତତା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭାରତ ଚାପରେ ଲଦ୍ଦାଖର ଗଲୱାନ ଘାଟିରୁ ୨ କି.ମି ପଛକୁ ହଟିଲା ଚୀନ ସେନା। ଜୁନ ୧୫ ରେ ହୋଇଥିବା ସଙ୍ଘର୍ଷ ସ୍ଥଳରୁ ୨ କି.ମି ପଛକୁ ହଟିଛି ଚୀନ ସେନା। ସେନା ଶିବିର, ଗାଡ଼ି ମୋଟର ଆଦି ପଛକୁ ହଟାଇଥିବା ନେଇ ଭାରତୀୟ ସେନା ସୂତ୍ରରୁ ସୂଚନା ମିଳିଛି। କମାଣ୍ଡର ସ୍ତରୀୟ ବୈଠକ ପରେ ସେନା ଶିବିର ହଟାଇଛି ଚୀନ।

ସୂଚନାନୁଯାୟୀ, ଜୁନ ୧୫ ରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ। ଏହି ରକ୍ତ ସଙ୍ଘର୍ଷରେ ଭାରତର ୨୦ ଜଣ ଯବାନ ଶହୀଦ ହୋଇଥିଲେ। ସେହିପରି ଚୀନର ୪୦ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଉଭୟ ଦେଶର ସେନା ରିଲୋକେସନ୍ ଉପରେ ସହମତି ପ୍ରକାଶ କରିଛନ୍ତି । ଏବେ ଗଲଓ୍ୱାନ ଘାଟି ନିକଟରେ ବଫର୍ ଜୋନ୍ କରାଯାଇଛି ଯେପରି କୌଣସି ହିଂସା ଘଟିବ ନାହିଁ ।

ସେପଟେ ଚୀନ୍‌ ସହ ଉପୁଜିଥିବା ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ରପତି ରାମନଥ କୋବିନ୍ଦଙ୍କୁ ଭେଟିଥିଲେ। ରଷ୍ଟ୍ରପତି ଭବନରେ ପ୍ରାୟ ଅଧଘଣ୍ଟାର ଏହି ସାକ୍ଷାତ ଆଲୋଚନାରେ ରାଷ୍ଟ୍ରପତିଙ୍କୁ ଚୀନ୍‌ ସମେତ ଅନ୍ତର୍ଜାତୀୟ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚିତ କରିଛନ୍ତି।