ଲଦାଖ ସୀମାରୁ ସେନା ହଟାଇବା ଆରମ୍ଭ କଲା ଚୀନ

ନୂଆଦିଲ୍ଲୀ : ଲଦାଖ ସୀମାରୁ ସେନା ହଟାଇବା ଆରମ୍ଭ କଲା ଚୀନ ।  ଏନେଇ ରାଜ୍ୟସଭାରେ ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଉଭୟ ଦେଶ ଭିତରେ ସେନା, କୁଟନୈତିକ ଏବଂ ରାଜନୈତିକ ସ୍ତରୀୟ ଆଲୋଚନାରୁ ସୁଫଳ ମିଳିଛି ବୋଲି ସେ ସୂଚନା ଦେଇଛନ୍ତି । ଉଭୟ ଦେଶ ପୂର୍ବ ଲଦାଖର ବିବାଦୀୟ ଇଲାକାରୁ ସେନା ହଟାଇବା ପ୍ରକ୍ରିୟା ଆରମ୍ଭ  କରିଛନ୍ତି । ଗତ ବର୍ଷେ ଭିତରେ ସୀମାରେ ଚୀନ ବିପୁଳ ସେନା ମୁତୟନ କରିଛି ଯାହାର ଜବାବରେ ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ନେଇଛି। ଭାରତ କାହାକୁ ଇଞ୍ଚେ ଜମି ଛାଡିବ ନାହିଁ ବୋଲି ରାଜ୍ୟସଭାରେ କହିଛନ୍ତି ରାଜନାଥ ।

ଶେଷରେ ବାଟକୁ ଆସିଛି ଚୀନ । ଏ ଚିତ୍ର ଭାରତୀୟ ସେନା ପକ୍ଷରୁ ଜାରି କରାଯାଇଛି। ପଛକୁ ହଟୁଛି ଚୀନର ପ୍ରଥମ ଟ୍ୟାଙ୍କ ।  ଦୁଇ ଦେଶ ମଧ୍ୟରେ ସେନା ସ୍ତରୀୟ ଆଲୋଚନାରୁ ମିଳିଛି ସଫଳତା। ଲଦାଖରେ ସେନା ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି।  ସୀମାରେ ବର୍ଷକ ତଳର ସ୍ଥିତି ଫେରିବ ।  ପ୍ୟୋଙ୍ଗଙ୍ଗ ଲେକ୍‌ ଅଞ୍ଚଳରୁ ଉଭୟ ଦେଶର ସେନା ପଛକୁ ହଟିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଏବାବଦରେ ବଡ଼ ଘୋଷଣା କରିଛନ୍ତି । ପୂର୍ବ ଲଦାଖ ଅଞ୍ଚଳରେ ଗତ ଏକ ବର୍ଷ ଧରି ଦେଖା ଦେଇଥିବା ଉତ୍ତେଜନା ଥମିବାର ବାଟ ଫିଟିଛି । ପ୍ୟୋଙ୍ଗଙ୍ଗ ଲେକ୍ ର ଉତ୍ତର ଏବଂ ଦକ୍ଷିଣ ଇଲାକାରୁ ପର୍ଯ୍ୟାୟ କ୍ରମେ ସେନା ଅପସାରଣ କରାଯିବ । ଚୀନ ନିଜ ସେନାକୁ ଫିଙ୍ଗର-8ର ପୂର୍ବରେ ମୁତୟନ ରଖିବ, ସେହିପରି ଫିଙ୍ଗର-3 ପାଖରେ ଥିବା ସ୍ଥାୟୀ ବେସ୍‌ ରେ ଭାରତୀୟ ସେନା ମୁତୟନ ରହିବେ । ଉଭୟ ଦେଶ ପେଙ୍ଗଙ୍ଗ ଲେକ୍‌ ର ଉତ୍ତର ଏବଂ ଦକ୍ଷିଣ ଇଲାକାରେ କରିଥିବା ନିର୍ମାଣକୁ ହଟାଇବେ।

ଗତବର୍ଷ ମାର୍ଚ୍ଚ-ଏପ୍ରିଲରେ ସୀମାରେ ବିବାଦ ତେଜିଥିଲା । ପୂର୍ବ ଲଦାଖରେ ଚୀନ ସେନା ଅନୁପ୍ରବେଶ କରିଥିଲେ । ଜୁନ ୨୦୨୦ରେ ଉଭୟ ଦେଶର ଯବାନ ମୁହାଁମୁହିଁ ହୋଇଥିଲେ ଯେଉଁଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ଚୀନର ୪୦ରୁ ଅଧିକ ଯବାନଙ୍କ ମୃତ୍ୟୁ ହୋଇଥିଲେ ବି ସବୁ ଲୁଚେଇଦେଇଥିଲା ପିଏଲଏ। ଏହାପରେ ଉଭୟ ଦେଶ ସୀମାରେ ସେନା ଠୁଳ କରିଥିଲେ। ଆକାଶରେ ପରାକ୍ରମ ଦେଖାଇଥିଲେ।  ଏଭିତରେ ଉଭୟ ଦେଶର ଭିତରେ ଅନେକ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲେ। ଚୀନ କେତେ ସ୍ଥାନରେ ଭାରତୀୟ ସୀମାରେ ପ୍ରବେଶ କରିଛି ଏହାର ଜବାବ ମାଗି ଆସୁଥିଲେ ବିରୋଧୀ। ଉଭୟ ଦେଶ ସେନା ହଟାଇବା ନେଇ ସହମତ ହେବା ପରେ ବର୍ତ୍ତମାନ ଚୀନ ସେନାର ଆକଚୁଆଲ ପୋଜିସନ କଣ ତାହା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି।

ରାଜ୍ୟସଭାରେ ବୟାନ ରଖି ରାଜନାଥ କହିଛନ୍ତି, ବର୍ଷକ ଭିତରେ ଲାଦାଖ ସୀମାରେ ଚୀନ ସେନାକୁ ଜବାବ ଦେଇଛନ୍ତି ଭାରତୀୟ ସେନା। ଭାରତର ରଣନୀତି ସ୍ପଷ୍ଟ । ଆମେ କାହାକୁ ଇଞ୍ଚ ବି ଜମି ଛାଡିବୁ ନାହିଁ । ସେପଟେ କିନ୍ତୁ ବିରୋଧୀ ସେମାନଙ୍କ ଦାବିରୁ ରୁ ଇଞ୍ଚେବି ପଛକୁ ହଟୁନାହାନ୍ତି।

china withdraws tanks armoured vehicles from lac