କୋରୋନା ଭାଇରସ: ମୃତ୍ୟୁ ସଂଖ୍ୟା ଛୁଇଁଲା ୭୧୭

ବେଜିଂ: ଚୀନରେ ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଭାଇରସ । ଉହାନ ସହରରୁ ଉତ୍ପତି ହୋଇଥିବା ଏହି ଭାଇରସ କବଳରେ ରହିଛି ସମଗ୍ର ଦେଶ । ଏହା ଦ୍ବାରା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉ ନାହିଁ । କରୋନା ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ୭୧୭ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୩୪ ହଜାରରୁ ଉର୍ଦ୍ଧ୍ବଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଚୀନ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ମହାମାରୀ କୋରୋନା ଭାଇରସର ଉତ୍ପତି ସ୍ଥାନ ହୁଓ୍ବେଇରେ ନୂଆ ୨୪୪୭ ଆକ୍ରାନ୍ତ ମାମଲା ସ୍ପଷ୍ଟ କରିଛି ଚୀନ ସ୍ବାସ୍ଥ୍ୟ ଆୟୋଗ । ଚୀନ୍ ବୈଦେଶିକ ମନ୍ତ୍ରଣାଳୟଙ୍କ ରିପୋର୍ଟ ଅନୁଯାୟୀ, ମୋଟ ୨୧ଟି ଦେଶ ଏହି ଭାଇରସକୁ ରୋକିବା ପାଇଁ ବେଜିଂକୁ ସହଯୋଗର ହାତ ବଢାଇଛନ୍ତି । ବର୍ତମାନ ସୁଦ୍ଧା ଏହି ଭାଇରସକୁ ରୋକିବା ପାଇଁ ସ୍ବତନ୍ତ୍ର ଔଷଧ ବାହାରି ନଥିବା ବେଳେ, ବିଶ୍ବରେ ଥିବା ସମସ୍ତ ସ୍ବାସ୍ଥ୍ୟ ବିଭାଗ ଏହାର ଉପଚାର ବାହାର କରିବା ପାଇଁ ପରୀକ୍ଷା ଆରମ୍ଭ କରିଛନ୍ତି । ସେପଟେ କୋରୋନା ଭାଇରସ ପ୍ରକୋପରେ ପ୍ରଭାବିତ ଚୀନକୁ ୧୦୦ ମିଲିୟନ ଡଲାରର ସହୟାତାର ହାତ ବଢାଇଛି ଆମେରିକା ।