ଗଲଓ୍ଵାନ ସଂଘର୍ଷରେ ଆହତ ଯବାନଙ୍କୁ ଭେଟିଲେ ସେନାମୁଖ୍ୟ

ଲେହ : ଭାରତର ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନାରାଓ୍ଵାଣେ ଆଜି ଦୁଇଦିନିଆ ଲେହ ଗସ୍ତରେ ଯାଇ ଭାରତୀୟ ସେନାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ଆର୍ମି ହସପିଟାଲ ପରିଦର୍ଶନରେ ଯାଇ ଗତ ୧୫ ତାରିଖରେ ହୋଇଥିବା ଭାରତ-ଚୀନ ସଂଘର୍ଷରେ ଆହତ ଯବାନମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

ସେନାଧ୍ୟକ୍ଷ ଚିକିତ୍ସିତ ହେଉଥିବା ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରୁଥିବାବେଳର ଫଟୋ ଭାରତୀୟ ସେନା ପକ୍ଷରୁ ଜାରି କରାଯାଇଛି । ଏହାସହିତ ପ୍ରଥମ ଥର ପାଇଁ ଆହତ ସୈନ୍ୟଙ୍କ ଫଟୋ ପ୍ରକାଶିତ ହୋଇଛି ।

ସେନାଧ୍ୟକ୍ଷ ମଧ୍ୟ ଲେହସ୍ଥିତ ଭାରତୀୟ ସେନାର ୧୪ କୋର କାର୍ଯ୍ୟାଳୟ ଗସ୍ତରେ ଯାଇ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।
ଆଜି ଦୁଇଦେଶର ସେନା ପଛକୁ ଘୁଞ୍ଚିବାକୁ ସହମତ ହୋଇଛନ୍ତି । ଗତତାଲିଠାରୁ ତିବ୍ଦତର ମୋଲଡୋଠାରେ ଦୁଇ ଦେଶର ସେନା କମାଣ୍ଡରଙ୍କ ମଧ୍ୟରେ ଏକ ମାରାଥନ ବୈଠକ ଆରମ୍ଭ ହୋଇଥିଲା । ଏହି ବୈଠକରେ ଉତ୍ତେଜନା ହ୍ରାସ ପାଇଁ ଦୁଇପକ୍ଷ ରାଜି ହୋଇଥିଲେ ।
ସୂଚନାଯୋଗ୍ୟ ଯେ ଗତ ୧୫ ତାରିଖ ରାତିରେ ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଯୋଗୁଁ ଭାରତର ୨୦ ସୈନ୍ୟ ସହିଦ ହୋଇଥିଲେ । ତେବେ ଚୀନ ପକ୍ଷର କିଛି ଯବାନ ମୃତାହତ ହୋଇଥିଲେ ମଧ୍ୟ ଚୀନ ସରକାର ଏପର୍ଯ୍ୟନ୍ତ ସେହି ତଥ୍ୟ ପ୍ରକାଶ କରୁନାହାନ୍ତି ।