ପାକିସ୍ତାନକୁ ହତାଶ କଲା ଚାଇନା!

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଉପରେ ପ୍ରତିଶୋଧ ନେବାକୁ ପାକିସ୍ତାନ ପଣ କରିଥିଲା। ଏଥିପାଇଁ ଚାଇନା ସରକାର ତାଙ୍କର ବନ୍ଧୁ ପାକିସ୍ତାନକୁ ସହଯୋଗ କରିବେ ବୋଲି ଇମ୍ରାନ୍‌ ଖାନ୍‌ ସରକାର ଆଶା ରଖିଥିଲେ। ହେଲେ ଚାଇନା ପରମ ବନ୍ଧୁ ପାକିସ୍ତାନକୁ ହତାଶ କରିଦେଇଛି। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଚାଇନା କୌଣସି ପ୍ରକାରର ମୁଣ୍ଡ ପୂରାଇବ ନାହିଁ ବୋଲି ପରୋକ୍ଷରେ ପାକିସ୍ତାନକୁ ସୂଚାଇ ଦେଇଛି।

ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଚାଇନା ଯାଉଥିବା ଖବର ମିଳିବାରୁ ବେଜିଂ ତୁରନ୍ତ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ନିଜର ମତ ସ୍ପଷ୍ଟ କରିଦେଇଛି। ଚାଇନା ପକ୍ଷରୁ କୁହାଯାଇଛି ଯେ, “ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ଆଲୋଚନା କରନ୍ତୁ।

ଉଭୟ ଅନ୍ତର୍ଜାତୀୟ ନିୟନ୍ତ୍ରଣରେ ଶାନ୍ତି ପ୍ରତିଷ୍ଠା କରିବା ଦରକାର। ଉଭୟ ଦେଶ ବର୍ତ୍ତମାନର ସ୍ଥିତାବସ୍ଥା ବିଜାୟ ରଖନ୍ତୁ। ଅଯଥାରେ ବିବାଦ ସୃଷ୍ଟି ନ କରନ୍ତୁ।” ପୂର୍ବରୁ ଭାରତ ସରକାର ଲଦାଖକୁ ଜମ୍ମୁ-କଶ୍ମୀରରୁ ଅଲଗା କରିଥିବାରୁ ଏହାକୁ ଚାଇନା ବିରୋଧ କରିଥିଲା। ଭାରତ ବେଆଇନ୍‌ ଭାବେ ଏଭଳି କରିଛି ବୋଲି ଚାଇନା କହିବାକୁ ପଛାଇ ନଥିଲା। ହେଲେ ଏବେ ଚାଇନା ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ମୁଣ୍ଡ ନ ପୂରାଇ, ଭାରତ ଓ ପାକିସ୍ତାନ ପରସ୍ପର ସହିତ ଆଲୋଚନା କରିବା ଦରକାର ବୋଲି କହିଛି।